କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଭିନ୍ନ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରିତା ନ କରିବା ନେଇ ବହୁ ରାଜ୍ୟ ଉପରେ ସୋମବାର ବର୍ଷିଛନ୍ତି ସୁପ୍ରିମକୋର୍ଟ। ପାର୍ଲିଆମେଣ୍ଟରେ ଗୃହୀତ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନ ହେବା ନେଇ ଗୁଜରାଟ ସମେତ ବହୁ ରାଜ୍ୟ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଶୁଣାଣି ବେଳେ ଜଷ୍ଟିସ୍ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲା, ସଂସଦ କ’ଣ କରୁଛି ? ଗୁଜରାଟ କ’ଣ ଭାରତ ଠାରୁ ଭିନ୍ନ? ଆଇନ ଅନୁଯାୟୀ ସମଗ୍ର ଦେଶରେ ଏହି ଯୋଜନା ସବୁ ଲାଗୁ କଥା। କିନ୍ତୁ ଏପର୍ଯ୍ୟନ୍ତ କାହିଁକି ଗୁଜରାଟରେ ଏହି ଆଇନ ଲାଗୁ ହୋଇନାହିଁ। ଆସନ୍ତାକାଲି ଏହି ରାଜ୍ୟ କହିବ ଯେ ଆମେ ସିଆରପିସି, ଆଇପିସିକୁ  ଓ ଏଭିଡେନ୍ସ ଆକ୍ଟକୁ ଅନୁକରଣ କରିବୁ ନାହିଁ।  ସେତେବେଳେ କ’ଣ ହେବ?

୯ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଏଯାଏଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରି ନ ଥିବା ବେଳେ ସୁପ୍ରିମକୋର୍ଟ ଗୁଜରାଟ ଉପରେ ହିଁ ବର୍ଷିଥିଲେ। କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ରାଜ୍ୟଗୁଡ଼ିକର ନାଁ ଦିଆଯାଇ ନ ଥିଲା।

ମରୁଡ଼ି ପ୍ରଭାବିତ ରାଜ୍ୟଗୁଡ଼ିକରେ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଓ ମଧ୍ୟାହ୍ନ ଭୋଜନ ଯୋଜନାର ସ୍ଥିତି ନେଇ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ଏ ନେଇ ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତା’ର ଦୁଇ ଦିନ ପରେ କୋର୍ଟ ଏନେଇ ପୁନଃ ଶୁଣାଣି କରିବେ।

ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମଧ୍ୟାହ୍ମ ଭୋଜନର କାର୍ଯ୍ୟକାରିତା ନେଇ ରିପୋର୍ଟ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଜାନୁଆରୀ ୧୮ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗଜରାଟ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ହରିଆଣା ଓ ଛତିଶଗଡ଼ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଥିବା ଓ ସଂପୃକ୍ତ ପ୍ରଶାସନ ରିଲିଫ୍ ଯୋଗାଇ ପାରୁ ନ ଥିବା ନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିଲେ।