ଆଜିଠୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ହେବ ଅଯୋଧ୍ୟା ମାମଲା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରୀ ମସଜିଦ୍‌ ଓ ରାମଜନ୍ମ ଭୂମିକୁ ନେଇ ଅଯୋଧ୍ୟାରେ ଲାଗି ରହିଥିବା ଜମି ବିବାଦ ମାମଲାର ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବ। ରାଜନୀତିକ ଦୃଷ୍ଟି କୋଣରୁ ଗୁରୁତ୍ୱ ରଖୁଥିବା ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ କରାଯିବ। ଦିନ ପ୍ରାୟ ୧୦.୩୦ରେ ଏହାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଏହି ଖଣ୍ଡପୀଠର ଅଧ୍ୟକ୍ଷତା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କରିବେ। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏନ୍‌ଭି ରମଣ, ଜଷ୍ଟିସ୍‌ ୟୁୟୁ ଲଳିତ ଓ ଜଷ୍ଟିସ୍‌ ଡିୱାଇଚନ୍ଦ୍ରଚୂଡ଼ ଏହି ଖଣ୍ଡପୀଠରେ ରହିଛନ୍ତି।

ମସଜିଦ୍‌ ଇସଲାମ ଧର୍ମର ଏକ ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ଦିଆଯାଇଥିବା ରାୟର ବିଚାର ଗତବର୍ଷ ସେପ୍ଟେମ୍ବର ୨୭ରେ ହୋଇଥିଲା। ଏହି ସମୟରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ୨:୧ ରାୟରେ ମାମଲା ବିଚାର କୌଣସି ପ୍ରକାରର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବେଳେ ୧୯୯୪ର ରାୟକୁ ବିଚାର କରାଯାଇଥିଲା।

ଜାନୁଆରୀ ୪ରେ ମାମଲାର ଶୁଣାଣି ହୋଇଥିଲେ ହେଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପରବର୍ତ୍ତୀ ନିଷ୍ପତ୍ତି ୧୦ ତାରିଖରେ ହେବ ବୋଲି କହିଥିଲେ। ଏହି ସମୟରେ ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି କେହି ଚିନ୍ତା କରି ନଥିଲେ। କିନ୍ତୁ ମଙ୍ଗଳବାର ଅଯୋଧ୍ୟା ମାମଲାର ଶୁଣାଣି ସାମ୍ବିଧାନିକ ଖଣ୍ଡପୀଠରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଥିବା ଅନ୍ୟ ୪ ଜଣ ବିଚାରପତି ଭବିଷ୍ୟତର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୌଡ଼ରେ ରହିଛନ୍ତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇଙ୍କ ପରେ ଜଷ୍ଟିସ୍‌ ବୋବଡେ, ଜଷ୍ଟିସ୍‌ ରମଣ, ଜଷ୍ଟିସ୍‌ ଲଳିତ ଓ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଯଥାକ୍ରମେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ବୋଲି ଜଣାପଡ଼ିଛି।

ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ଏକ ରାୟ ଦେଇଥିଲେ। ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ।  ତେବେ ଏହା ବିରୋଧରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଛି। ଆଜି ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିବେ।

ଅନ୍ୟପକ୍ଷରେ ବିଭିନ୍ନ ହିନ୍ଦୁ ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଅଧ୍ୟାଦେଶ ଆଣିବାକୁ ଦାବି କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଥିବାରୁ ସମସ୍ତଙ୍କ ନଜର ଏହି ମାମଲା ଉପରେ ରହିଛି।