ଅଯୋଧ୍ୟା ବିବାଦ: ଶୁକ୍ରବାର ମଧ୍ୟସ୍ଥି ନିଯୁକ୍ତି ନେଇ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ତପୀଠ ଶୁକ୍ରବାର ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମଜନ୍ମଭୂମି ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତି ବାବଦରେ ଶୁଣାଣି କରିବେ। ଏହି ଖଣ୍ଡପୀଠ ଗତ ୬ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି କରି ଏକ ମଧ୍ୟସ୍ଥି ପ୍ୟାନେଲ ଜରିଆରେ ‘ବୁଝାମଣାରେ ଆପୋସ ସମାଧାନ’କୁ ଗୁରୁତ୍ୱ ଦେଇଥିଲେ। ଏହା ସହିତ ସମସ୍ତ ପକ୍ଷଙ୍କୁ ମଧ୍ୟସ୍ଥିଙ୍କ ନାମ ପ୍ରସ୍ତାବ ଦେବାପାଇଁ କହିଥିଲେ।

ଏହି ପ୍ରସ୍ତାବରେ ମୁସଲିମ୍‌ ପକ୍ଷ ରାଜି ହୋଇଯାଇଥିବାବେଳେ ପୂର୍ବରୁ ମଧ୍ୟ ଏପରି ପ୍ରୟାସ ବିଫଳ ହୋଇସାରିଛି ବୋଲି ହିନ୍ଦୁ ପକ୍ଷ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ହିନ୍ଦୁଙ୍କ ପକ୍ଷରୁ କେବଳ ହିନ୍ଦୁ ମହାସଭା ୩ ଜଣଙ୍କ ନାମ ପ୍ରସ୍ତାବ କରିଛି। ସୁପ୍ରିମ୍‌କୋର୍ଟର ଦୁଇ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଜଗଦୀଶ ସିଂହ ଖେହରଙ୍କ ନାମ ଏଥିରେ ଥିବାବେଳେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ ନାମ ମଧ୍ୟ ରହିଛି।

ପ୍ରଥମ ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟ କହିଥିଲେ, “ଏହା ଏକ ପଚିବାରେ ଲାଗିଥିବା ଘା’, ଯାହାକି ଭୟ ହିନ୍ଦୁ ଏବଂ ମୁସଲିମ୍‌ଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇ ଆସୁଛି। ସୁପ୍ରିମ୍‌କୋର୍ଟ ଆହୁରି ମଧ୍ୟ କହିଥିଲେ, ଏହା ୧୫୦୦ ବର୍ଗଫୁଟ୍‌ ଜମିକୁ ନେଇ ମାମୁଲି ବିବାଦ ନୁହେଁ ବରଂ ଧାର୍ମିକ ଭାବନା ସହିତ ଜଡ଼ିତ। ଏହା ଜନସାଧାରଣଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଆମେ ହୃଦୟଙ୍ଗମ କରୁଛୁ।”