ଟ୍ରିପଲ ତଲାକ୍‌ : ହଟିବ ନା ଅଟକିବ? ଆସନ୍ତାକାଲି ଐତିହାସିକ ରାୟ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ମୁସଲିମ ମହିଳାଙ୍କୁ  ଛାଡ଼ପତ୍ରନେଇ ଯୁଗ ଯୁଗ ଧରି ଚଳି ଆସୁଥିବା  ଟ୍ରିପଲ୍‌ ତଲାକ ବ୍ୟବସ୍ଥା ହଟିବକି ନାହିଁ? ଇସଲାମରେ ପ୍ରଚଳିତ ଏହି ବିଧିବ୍ୟବସ୍ଥା ବଳବତ୍ତର ରହିବ ନା ସବୁଦିନ ପାଇଁ ଅନ୍ତ ହୋଇଯିବ?  ଏହି ବ୍ୟବସ୍ଥାକୁ  ହଟାଇ ଦିଆଯିବ କି ନାହିଁ ତାହା ଆସନ୍ତାକାଲି(ମଙ୍ଗଳବାର) ଜଣାପଡ଼ିବ।  କାରଣ  ଆସନ୍ତା କାଲି ସୁପ୍ରିମକୋର୍ଟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ। ସର୍ବୋଚ୍ଚ ନ୍ୟାୟାଳୟରେ ୫ ଜଣିଆ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାରେ ରାୟ ପ୍ରକାଶ କରିବେ।  ଏହା ଏକ ସ୍ପର୍ଶକାତର ମାମଲା ହୋଇଥିବା ବେଳ ଏହାକୁ ଆଇନସିଦ୍ଧ କରାଯିବା କି ନା ତାହା କାଲି ଜଣାପଡ଼ିବ।

ଏହାକୁ ନେଇ ବହୁ ତର୍କ ବିତର୍କ ହେବା ପରେ ସର୍ବୋଚ୍ଚନ୍ୟାୟାଳକୁ ଯାଇଥିଲା ଏହି ମାମଲା।  ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ପାଞ୍ଚଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ବ୍ୟବସ୍ଥା କରିଥିଲେ।  ଏହି ମାମଲାର ଲାଗାତାର ୬ଦିନ ଧରି ମାରାଥନ ଶୁଣାଣି ହୋଇଥିଲା।  ଶେଷଥର ପାଇଁ ଗତ ମେ ୧୮ରେ ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା।  ତେବେ ଏହି ୫ ଜଣିଆ ଖଣ୍ଡପୀଠରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ ତଥା ଶିଖ, ଖ୍ରୀଷ୍ଟିଆନ୍‌, ପାର୍ସି, ହିନ୍ଦୁ ଏବଂ ମୁସଲିମ ଧର୍ମର ବିଚାରପତିଙ୍କୁ ସାମିଲ କରାଯାଇଥିଲା। ମୁଖ୍ୟ ବିଚାରପତି ଜେଏସ ଖେର ଅଧ୍ୟକ୍ଷତାରେ ଏହି ୫ ଜଣିଆ ବେଞ୍ଚ ଗଠନ କରାଯାଥିଲା। ଏହି ମାମଲା ସମ୍ପର୍କରେ ୭ଟି ଆବେଦନ ଆସିଥିଲା। ତେବେ ୫ଟି ଆବେଦନ ମୁସଲି ମହିଳାଙ୍କ ପକ୍ଷରୁ ଆସିଥିଲା। ଆବେଦନରେ  ତିନ୍‌ ତଲାକ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଆବେଦନ କରାଯାଇଥିଲା।  ତେବେ ଶୁଣାଣି ବେଳେ ଏହି ଟ୍ରିପଲ ତଲାକ ବ୍ୟବସ୍ଥା ଅତ୍ୟନ୍ତ  ଖରାପ  ବୋଲି କୋର୍ଟ ଅନୁଭବ କରିଥିଲେ।

ଶିବଲଙ୍କ ଯୁକ୍ତି

ସେ ସମୟରେ ଟ୍ରିପଲ ତଲାକ୍‌ ସପକ୍ଷରେ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ଼ ନିଜର ମତ ଉପସ୍ଥାପନ କରିଥିଲା। ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ଼ ପକ୍ଷରୁ  ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ର ଆଇନ୍‌ ମନ୍ତ୍ରୀ  କପିଲ ଶିବଲ ଯୁକ୍ତି ଉପସ୍ଥାପନ କରିଥିଲେ। ତାଙ୍କ ଯୁକ୍ତି ଥିଲା ତିନ୍‌ ତଲାକ୍‌ ହେଉଛି ମୁସଲିମ ସମ୍ପ୍ରଦାୟର ଆସ୍ଥା ଏବଂ ବିଶ୍ୱାସର କଥା। ମୁସଲିମ ସମ୍ପ୍ରଦାୟରେ ୧୪୦୦ ବର୍ଷ ଧରି ଏହି ପରମ୍ପରା ରହିଛି। ତେଣୁ ସାମ୍ବିଧାନିକ ନୈତିକତା ଦୃଷ୍ଟିରୁ ଏହାକୁ ଅସିଦ୍ଧ ବୋଲି ମାନି ନେବା ଇସ୍‌ଲାମ ବିରୋଧୀ  ।

ଯୁକ୍ତି ଉପସ୍ଥାପନ ବେଳେ ଶିବଲ ହିନ୍ଦୁମାନଙ୍କ ଧର୍ମ ଏବଂ ବିଶ୍ୱାସକୁ ଉଦାହରଣ ଭାବେ ଥୋଇଥିଲେ। କହିଥିଲେ ଯେମିତି ଅଯୋଧ୍ୟାରେ ରାମ ଜନ୍ମ ହେବା କଥା ହିନ୍ଦୁମାନଙ୍କର ଆସ୍ଥା ଏବଂ ବିଶ୍ୱାସ ସହ ଯୋଡ଼ି ହୋଇ ରହିଛି  ଠିକ୍‌ ସେମିତି ଇସ୍‌ଲାମରେ ଟ୍ରିପ୍‌ଲ ତଲାକ୍‌ର ସ୍ଥାନ ଏକାଭଳି। ତେଣୁ ଏହା ଉପରେ ସାମ୍ବିଧାନିକ ନୈତିକତାର ଦ୍ୱାହି ଦେଇ ପ୍ରଶ୍ନ ଉଠିବା କଥା ନୁହେଁ ବୋଲି ଶିବଲ ଯୁକ୍ତି କରିଥିଲେ।