ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଲସ୍କର ଆତଙ୍କୀ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ନୈନା ବାତାପୋରା ଗାଁରେ ବୁଧବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ଲସ୍କର ସଦସ୍ୟ ବୋଲି ଜଣାପଡ଼ିଛି। ମଙ୍ଗଳବାରଠାରୁ ଆଜି ସକାଳ ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୁରକ୍ଷାକର୍ମୀଙ୍କୁ ଗାଁରେ ତିନିଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାକୁ ଆଧାର କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ୫୩ ରାଷ୍ଟ୍ରୀୟ ରାଇଫଲସ୍ ଓ ଯବାନ୍ ଏହି ଗାଁକୁ ମଙ୍ଗଳବାର ଘେରାଉ କରି ସନ୍ଦିଗ୍ଧ ଆତଙ୍କୀ ରହୁଥିବା ଘର ଆଡକୁ ଅଗ୍ରସର ହେଉଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ପାଲଟା ଜବାବ ଦେଇଥିଲେ।