ପୁଣି ଗିରଫ ହେଲା ଲେଡି ଡନ୍‌

ସୁରତ: ଗୁଜରାଟର ସୁରତରେ ପୋଲିସ୍‌ ପାଇଁ ମୁଣ୍ଡବିନ୍ଧା ପାଲଟି ଥିବା ଲେଡି ଡନ୍‌ ‘ଭୂରୀ’ର ଆଉ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ଏକ ଖଣ୍ଡା ଧରି ଜଣେ ପାନ ଦୋକାନୀଠାରୁ ଦାଦାବଟି ଆଦାୟ କରୁଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସୁରତ ପୋଲିସ୍‌ ଏକ ମାମଲା ରୁଜୁ କରି ଭୂରୀକୁ ଗିରଫ କରିଛି। ଏହାକୁ ମିଶାଇ ଭୂରୀ ଦୁଇ ଥର ଗିରଫ ହୋଇସାରିଛି। ଗତ ହୋଲିରେ ହୋହାଲ୍ଲା କରିବା ଅଭିଯୋଗରେ ପୋଲିସ୍‌ ତାକୁ ଗିରଫ କରିଥିଲା।

ଅସ୍ମିତା ଗୋହେଲ ଓରଫ ଭୂରୀକୁ ଯିଏ ଦେଖିବ କେବେ ବି ଭାବିବ ନାହିଁ ସେ ଜଣେ ଅପରାଧୀ। ଦେଖିବାକୁ ଅତି ସୁନ୍ଦର ଭୂରୀ। ହେଲେ ଭାଇରାଲ ହେଉଥିବା ତା’ର ଭିଡିଓ ଦେଖିଲେ ଯିଏ କେହି ବି ଭୟ କରିଯିବ। ଏଥିରେ ସେ ବର୍ଷା ସୋମାସିଟିରେ ଏକ ପାନ ଦୋକାନକୁ ଖଣ୍ଡା ଧରି ପଶିବା ପରେ ଦୋକାନୀକୁ ଧମକାଉଛି ଓ ତା’ ପାଖରୁ ଟଙ୍କା ଲୁଟି ନେଉଛି।

don_bhuriଭିଡିଓରେ ଦେଖିବାକୁ ମିଳୁଛି, ଲେଡି ଡନ୍‌ ତା’ର ଜଣେ ସାଥୀ ସହ ଏକ ବାଇକରେ ସେଠାକୁ ଆସି ପାନ ଦୋକାନୀକୁ ଧମକାଉଛି। ସେ ସମୟରେ ଦୋକାନୀ ଜଣଙ୍କ ନିଜ ଦୋକାନ ବନ୍ଦ କରୁଥିଲେ। ସେ ଭୟରେ ପକେଟ୍‌ରେ ରଖିଥିବା ଟଙ୍କା ବହାର କରି ଭୂରୀକୁ ଦେଉଛନ୍ତି। ଏହାପରେ ଭୂରୀ ନିଜ ସାଥୀ ସହ ବାଇକ୍‌ରେ ସେଠାରୁ ପଳାଉଛି। ପରେ ସେ ପୁଣି ଫେରି ପାନ ଦୋକାନୀକୁ ଧମକ ଦେଇ ଚାଲିଯାଉଛି।

ଏହାପରେ ଭୂରୀ ଓ ତା’ ସାଥୀ ରାହୁଲ, ରାସ୍ତାରେ ଯାଉଥିବା ଲୋକଙ୍କୁ ଖଣ୍ଡା ଦେଖାଇ ଦାଦାବଟି ଆଦାୟ କରିଥିଲେ। ବିଚ୍‌ ରାସ୍ତାରେ ଏମାନେ ଏହି କାଣ୍ଡ ଘଟାଇ ଥିଲେ ମଧ୍ୟ କେହି ତାଙ୍କୁ ପ୍ରତିରୋଧ କରି ନଥିଲେ।

don_bhuriଉକ୍ତ ଅଞ୍ଚଳରେ ଭୂରୀର ଭୟ ଏତେ ଘାରିଛି ଯେ, କେହି ବି ମୁହଁ ଖୋଲୁ ନାହାଁନ୍ତି। ପାନବାଲା ମଧ୍ୟ ଭୂରୀ ବିରୋଧରେ କୌଣସି ଅଭିଯୋଗ କରି ନଥିଲେ। ତିନିଦିନ ପରେ ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ପୋଲିସ୍‌ ପାନ ଦୋକାନୀକୁ ଖୋଜି ଖୋଜି ତାଙ୍କ ପାଖରେ ପହଞ୍ଚି ଥିଲା। ପରେ ଦୋକାନୀ ଭୂରୀ ବିରୋଧରେ ଲୁଟପାଟ, ଧମକ ଦେବା ଓ ମାଡ଼ ମାରିବା ନେଇ ଏତଲା ଦେଇଥିଲେ।

ପୂର୍ବରୁ ହୋଲି ସମୟରେ ଲେଡି ଡନ୍‌ର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ସାଙ୍ଗମାନଙ୍କ ସହ ରାସ୍ତା ଉପରେ ଛୁରି ଓ ଖଣ୍ଡା ଧରି ବୁଲୁଥିବା ନଜରକୁ ଆସିଥିଲା। ଏଥିପାଇଁ ସେ ଗିରଫ ମଧ୍ୟ ହୋଇଥିଲା। ଏହି ଘଟଣା ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସୁରତ ପୋଲିସ୍‌ ବହୁତ ପ୍ରତିଶ୍ରୁତି ଦେଇଥିଲା। ହେଲା ମାତ୍ର ଦୁଇଟା ମାସ ଯାଇନାହିଁ, ପୋଲିସ୍‌ର ପ୍ରତିଶ୍ରୁତିରେ କେତେ ସତ ରହିଛି ତାହା ପଦାରେ ପଡିଛି।

ପୋଲିସ୍‌ ଅନୁସାରେ ଭୂରୀ ନାଁରେ ଏତେ ମାମଲା ରହିଛି ଯେ, ତା’ ପରିବାର ଲୋକ ମଧ୍ୟ ତାକୁ ଭେଟିବାକୁ ଆସୁନାହାଁନ୍ତି। ତା’ର କିଛି ନିଶା ଅଭ୍ୟାସ ନାହିଁ। ହେଲେ ଗୁଣ୍ଡାଙ୍କ ସହ ବୁଲିବା ତା’ର ବହୁତ ପସନ୍ଦ।