ସୁରତ ଘଟଣାର ତଦନ୍ତ ଓଡିଶା ମୁହାଁ, ସବୁ ଏସ୍‌ପିଙ୍କୁ ଫଟୋ ପଠାଇଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଶ୍ମୀରର କାଠୁଆ ଘଟଣା ପରେ ଲଜ୍ଜିତ ହୋଇଛି ଆମ ଦେଶ। ଜଣେ ୮ ବର୍ଷର ନାବାଳିକାକୁ ଯେଉଁଭଳି ବଳାତ୍କାର କରଗଲା ତାହା ସତରେ ଅତି ଲୋମହର୍ଷଣକାରୀ। ଆନ୍ତର୍ଜତୀକ ସ୍ଥରରେ ଏହି ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ଗୁଜରାଟରେ ଏଭଳି ଆଉ ଏକ ଘଟଣା ପୁନରାବୃତ୍ତି ହୋଇଥିଲା। ଏଠାରେ ମଧ୍ୟ ଜଣେ ନାବାଳିକା ପ୍ରତି ପାଶବିକ ଅତ୍ୟାଚାର ପରେ ତାକୁ ହତ୍ୟା କରାଯାଇଥିଲା। ହେଲେ ଝିଅଟିର ପରିଚୟ ମିଳିପାରି ନାହିଁ। ଏଣେ ଗୁଜରାଟ ପୋଲିସ ସନ୍ଦେହ କରୁଛି ପୀଡିତା କାଳେ ଓଡ଼ିଆ ଝିଅ। ଯାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଖାଲି ଗୁଜରାଟ ପୋଲିସ ନୁହେଁ ଓଡ଼ିଶା ପୋଲିସ ବି ଘଟଣାର ତଦନ୍ତ ଆରମ୍ଭ କରିଛି।

୬  ତାରିଖରେ ସୁରତର ଓଡିଆ ବହୁଳ ପଣ୍ଡେସରର ଭେସ୍ତାନ ଅଞ୍ଚଳରୁ ଏହି ନାବାଳିକାଙ୍କ ମୃତଦେହ ଉଦ୍ଧାର ପରେ ଓଡ଼ିଶାରେ ସୁରାକ୍ ଖୋଜୁଛି ଗୁଜରାଟ ପୋଲିସ। ସୁରତ ପୋଲିସ କମିଶନର ଘଟଣା ସମ୍ପର୍କରେ ଓଡ଼ିଶା ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଡିଜିପି ଆର.ପି.ଶର୍ମା ପ୍ରେସମିଟ୍ କରିବା ସହ ଗୁଜରାଟ ପୋଲିସ ଦେଇଥିବା ନାବାଳିକା ସମ୍ପର୍କିତ ତଥ୍ୟ ଓ ଫଟୋକୁ ସମସ୍ତ ଜିଲ୍ଲାର ଏସ୍‌ପିଙ୍କୁ ପଠାଇଛନ୍ତି।

ସେପଟେ  ନାବାଳିକାକୁ ଚିହ୍ନଟ ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ନିଖୋଜ ପ୍ରାୟ ୮୦୦୦ ଝିଅଙ୍କ ଫଟୋ ସହ ମୃତ ନାବାଳିକାଙ୍କ ଫଟୋକୁ ମେଳ କରାଯାଉଛି। ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ସହ ସଂପୃକ୍ତ ଅଞ୍ଚଳର ମୋବାଇଲ୍ ଟାଓ୍ୱାର ତଥ୍ୟ ବି ଯାଞ୍ଚ କରାଯାଉଥିବା ଗୁଜରାଟ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି।