ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ ଯୋଗୁ ଭାରତକୁ ଚିହ୍ନିଲା ବିଶ୍ୱ: ଶାହ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଭାରତୀୟ ସେନା କରିଥିବା ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ୍‌ ଦେଶବାସୀଙ୍କୁ ଆନନ୍ଦ ଦେଇଛି। ଲୋକମାନେ ଏହାଦ୍ୱାରା ନିଜର ଖୁସି ବ୍ୟକ୍ତି କରିଛନ୍ତି। ଏହି ଦୁଇ ବଡ଼ ପଦକ୍ଷେପ ପାଇଁ ଭାରତ ପ୍ରତି ବିଶ୍ୱର ଥିବା ନଜର ବଦଳି ଯାଇଛି। ଭାରତକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ସର୍ବଭାରତୀୟ ମ୍ୟାନେଜମେଣ୍ଟ ଆସୋସିଏସନ୍‌(ଏଆଇଏମଏ) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି, “ମୁଁ ଜାଣିଛି ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ ଭଳି ପଦକ୍ଷେପ ସମସ୍ତଙ୍କୁ ଖୁସି ଆଣିଦେଇଥିବ। ସମସ୍ତେ ଆତ୍ମସନ୍ତୋଷ ଲାଭ କରିଥିବେ।

ହେଲେ ଏଭଳି ପଦକ୍ଷେପ ଗ୍ରହଣ କରିବାରୁ ନିଜର ଅଦମ୍ୟ ସାହାସ ଦେଖାଇବାକୁ ପଡ଼ିଥାଏ। କାରଣ ଛୋଟିଆ ଭୁଲ ହେଲେ, ଏହାର ପରିଣାମ ଭୟଙ୍କର ରୂପ ଧାରଣ କରିଥାଏ। ୟୁପିଏ ସରକାର ଦୀର୍ଘ ବର୍ଷ ଧରି ଦେଶକୁ ଶାସନ କରିଥିଲେ। ହେଲେ ତାଙ୍କ ସରକାର ଦେଶ ପାଇଁ ନେଇଥିବା ୫ଟି ବଡ଼ ନିଷ୍ପତ୍ତି ସମ୍ପର୍କରେ କହିପାରିବେ କି? କିନ୍ତୁ ମୋଦି ସରକାର ମାତ୍ର ୫ ବର୍ଷ ମଧ୍ୟରେ ଦେଶ ପାଇଁ ୫୦ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଆମ ସରକାର ଦେଶର ଗୋଟିଏ ଇଞ୍ଚ ଜମି କାହାକୁ ବି ଛାଡ଼ିବେ ନାହିଁ। ଏୟାର ଓ ସର୍ଜିକାଲ ଷ୍ଟ୍ରାଇକ ଭାରତ ପ୍ରତି ଥିବା ବିଶ୍ୱର ନଜର ବଦଳାଇ ଦେଇଛି।”