ଆସିଲା ସର୍ଭେ ରିପୋର୍ଟ: ଭାରତ ଭାରି ଶସ୍ତା

ବିଶ୍ୱର ୫୦ଟି ଶସ୍ତା ଦେଶର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ। ଲୋକମାନଙ୍କ ରହିବା ପାଇଁ ବିଶ୍ୱର ଦ୍ୱିତୀୟ ଶସ୍ତା ଦେଶ ଭାବେ ଉଭା ହୋଇଛି  ଭାରତ। କମ୍‌ ମୂଲ୍ୟରେ ଉନ୍ନତ ସେବା ଯୋଗାଉଥିବାରୁ ଭାରତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି  ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା।  ବିଶ୍ୱର ୧୧୨ଟି ଦେଶକୁ ନେଇ ‘ଗୋ ବ୍ୟାଙ୍କିଙ୍ଗ୍’ ଏକ ସର୍ଭେକ୍ଷଣ କରିଥିଲା। ଏଥିରେ ଦେଶର ପ୍ରମୁଖ ମାନକ ଯଥା ଲୋକମାନଙ୍କର କ୍ରୟଶକ୍ତି, ଦରଦାମ, ଭଡ଼ା, ଗ୍ରୋସରୀ ଆଦିକୁ ଆଧାର କରି ଏହି ସର୍ଭେକ୍ଷଣ କରାଯାଇଥିଲା। ଅନଲାଇନ୍‌ରେ ତଥ୍ୟ ସଂଗ୍ରହ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ଭଡ଼ା ଦୃଷ୍ଟିରୁ ୫୦ ଟି ତାଲିକା ଭୁକ୍ତ ଦେଶମଧ୍ୟରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏଥିରେ ପଡ଼ୋଶୀ ନେପାଳ ପ୍ରଥମ ସ୍ଥାନରେ ରହିଛି। କିନ୍ତୁ ଉପୋଭକ୍ତା ସାମଗ୍ରୀ ଓ ଗ୍ରୋସରୀ ସାମଗ୍ରୀ ତୁଳନାରେ ଭାରତ ସୁବୁଠାରୁ ଶସ୍ତା ଦେଶ ହୋଇଛି। କୋଲକତାରେ ଜଣେ ବ୍ୟକ୍ତି ମାସକୁ ୨୮୫ ଡଲାର ଖର୍ଚ୍ଚ କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବ।

ସର୍ବେକ୍ଷଣ ହିସାବରେ ୫୦ ଟି ଦେଶ ମଧ୍ୟରୁ ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଶସ୍ତା ଓ ଅଧିକ ଜନବହୁଳ ରାଷ୍ଟ୍ର। ଏଠାରେ ମୁଖ୍ୟ ବ୍ୟବସାୟ ହେଉଛି କପଡ଼ା, ରସାୟନ ଓ ଖାଦ୍ୟ ପ୍ରକ୍ରିୟା କରଣ। ସର୍ଭେକ୍ଷଣ ଅନୁଯାୟୀ ଭାରତର ସ୍ଥାନୀୟ କ୍ରୟ ଶକ୍ତି ୨୦.୯ ପ୍ରତିଶତ ଶସ୍ତା। ସେହିପରି ଭଡ଼ା ୯୫.୨ ପ୍ରତିଶତ, ଗ୍ରୋସରି ୭୪.୪ ପ୍ରତିଶତ, ସ୍ଥାନୀୟ ସାମଗ୍ରୀ ଓ ସେବା ୭୪.୯ ପ୍ରିତିଶତ ରହିଛି। ଏହା ବ୍ୟତୀତ କଲମ୍ବିଆ ୧୩ , ନେପାଳ ୨୬ ଓ ବଂଲାଦେଶ ୪୦ ତମ ସ୍ଥାନରେ ରହିଛି।