ବୈଦେଶିକ ସମ୍ମିଳନୀରେ ସୁଷମା, ନିର୍ମଳାଙ୍କ କମାଲ୍‌

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ଦୁଇ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଏମାନେ ହେଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ବିଶ୍ୱର ଅନେକ ଦେଶରୁ ଆସିଥିବା ନେତାଙ୍କ ସହ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ଫଟୋ ଏବେ ସମସ୍ତଙ୍କ ଧ୍ୟାନକୁ କେନ୍ଦ୍ରୀଭୂତ କରୁଛି। ଯାହାକି ବିଶ୍ୱ ଚିତ୍ରପଟରେ ଭାରତର ସ୍ଥାନ ଶୀର୍ଷରେ ପହଞ୍ଚାଇଛି।

କଥାଟି ହେଉଛି ଏମିତି। ଗତ କିଛି ଦିନ ତଳେ ସୁଷମା ସ୍ୱରାଜ ଓ ନିର୍ମଳା ସୀତାରମଣ ଚୀନରେ ହୋଇଥିବା ସଂଘାଈ କୋପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ)ରେ ଯୋଗ ଦେବାକୁ ଯାଇଥିଲେ। ଏଥିରେ ଚୀନ, ଭାରତ, ରୁସ୍‌,କାଜିକସ୍ତାନ, ଉଜବେକିସ୍ତାନ, ତଜାକିସ୍ତାନ ଓ ପାକିସ୍ତାନର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ଆସିଥିଲେ।

ଏହି ଅବସରରେ ଫଟୋ ସେସନ୍‌ ହୋଇଥିଲା। ଯେଉଁଥିରେ ଥିଲେ ଭାରତର ଏହି ଦୁଇ ମହିଳା ମନ୍ତ୍ରୀ। ଫଟୋରେ ସମସ୍ତ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସୁଷମା ସ୍ୱରାଜ ଏକଟୁଆ ମହିଳା ଥିବା ବେଳେ  ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୁହରେ ଏକୁଟିଆ ମହିଳା ଥିଲେ ନିର୍ମଳା ସାତାରମଣ।

ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟେଲ୍‌ ଏହି ଦୁଇଟି ଫଟୋକୁ ଟ୍ୱିଟ୍‌ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି “ଯେଉଁଠି ମହିଳାଙ୍କୁ ସମ୍ମାନ ମିଳିଥାଏ, ଦେବତା ସେଠାରେ ବାସ କରନ୍ତି। ଏସ୍‌ସିଓ ବୈଠକରେ ଆମ ଦୁଇ ମନ୍ତ୍ରୀ ସବୁଠାରୁ ଭିନ୍ନ ଦେଖାଯାଉଥିଲେ।”