ବଦଳିଲେ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ: ଶୋଭା ଓଜାଙ୍କ ସ୍ଥାନ ନେଲେ ସୁସ୍ମିତା ଦେବ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସର୍ବ ଭାରତୀୟ ମହିଳା କଂଗ୍ରେସର ଅଧ୍ୟକ୍ଷା ପରିବର୍ତ୍ତନ ହୋଇଛି। ଶୋଭା ଓଝାଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ସୁସ୍ମିତା ଦେବ। କଂଗ୍ରେସ ମହାସଚିବ ଜନାର୍ଦ୍ଦନ ଦ୍ୱିବେଦୀ ଏନେଇ ସୂଚନା ଦେଇଛନ୍ତି। ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ଏହି ପରିବର୍ତ୍ତନ ହୋଇଛି। ସୁସ୍ମିତା ଦେବ ବର୍ତ୍ତମାନ ଲୋକସଭାର ସଦସ୍ୟା ଅଛନ୍ତି। ସେ ୨୦୧୪ରେ ଆସାମର ସିଲଚର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

ମଧ୍ୟ ପ୍ରଦେଶରେ ମଧ୍ୟ କଂଗ୍ରେସ ସଂଗଠନ ପରିବର୍ତ୍ତନ ହୋଇଛି। ମଧ୍ୟପ୍ରଦେଶ ମହାସଚିବ ମୋହନ ପ୍ରକାଶ ଏବଂ ସଚିବ ରାକେଶ କାଲିୟାଙ୍କୁ ଦାୟିତ୍ୱରୁ ବାହାର କରାଯାଇଛି। ତାଙ୍କ ସ୍ଥାନରେ ମହାସଚିବ ଭାବେ ଜବାକି ଜୁବେର ଖାନ ଓ ସଚିବ ଭାବେ ସଞ୍ଜୟ କପୁରଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ଜଣାପଡୁଛି ଓଡ଼ିଶାରେ ବି ଖୁବଶୀଘ୍ର ସାଂଗଠନିକ ପରିବର୍ତ୍ତନ ହୋଇପାରେ। କିଛି ଦିନ ତଳେ ଓଡ଼ିଶା ନେତାଙ୍କ ସହ ଆଲୋଚନା ପରେ ପିସିସିରେ ପରିବର୍ତ୍ତନ ହେବା ନେଇ ସୂଚନା ଦେଇଥିଲେ ରାହୁଲ ଗାନ୍ଧି।