ଏମିତି ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ: ଟଏଲେଟ୍ ପାଲଟିଛି କିଚେନ୍‌

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ଅଭିଯାନ ପୂରା ଭାରତରେ ଜୋରସୋରରେ ଚାଲିଛି। ପ୍ରତିଦିନ ସୋସିଆଲ୍ ମିଡିଆ ଓ ଟିଭିରେ ସ୍ୱଚ୍ଛ ଭାରତର ଅଭିଯାନର ବିଜ୍ଞାପନ ପ୍ରଚାର ହେଉଛି। କିନ୍ତୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଏହି ସୁବିଧାର କେତେ ଉପଯୋଗ ହେଉଛି ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଏକ ଗାଁରେ ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ନିର୍ମାଣ କରାଯାଇଛି। ଅନ୍ୟମାନଙ୍କ ଭଳି ଗାଁର ଦିନେଶ ଯାଦବଙ୍କ ଘର ପାଇଁ ସରକାର ଏକ ପାଇଖାନା ନିର୍ମାଣ କରାଇ ଦେଇଛନ୍ତି।  କିନ୍ତୁ ତାଙ୍କ ପରିବାର ଲୋକେ ସେଥିରେ ଶୌଚ କରୁ ନାହାନ୍ତି। ବରଂ ସେମାନେ ସେଠାରେ ରୋଷେଇ କରୁଛନ୍ତି। ଆଉ ଏହାର କାରଣ ହେଉଛି ପାଇଖାନା ଓ ପାଇଖାନା ଘର ସିନା ତିଆରି ହୋଇଯାଇଛି, ସେଫ୍‌ଟି ଟ୍ୟାଙ୍କ ନିର୍ମାଣ ହୋଇନି। ତେଣୁ ସେମାନେ ସେଠାରେ ଶୌଚ ଯାଇପାରୁ ନାହାନ୍ତି। ଗାଁ ଲୋକଙ୍କ କହିବା କଥା- ସରକାର ପାଇଖାନା ତ ବନାଇ ଦେଇଛନ୍ତି, କିନ୍ତୁ ଗାଁର ମୁଖିଆ ସେଫ୍‌ଟି ଟ୍ୟାଙ୍କ୍ ନିର୍ମାଣ କରିବାକୁ ଭୁଲି ଯାଇଛନ୍ତି। ଏଣୁ କାହା ଘରେ ପାଇଖାନା ଘର ବନ୍ଦ ପଡ଼ିଥିବା ବେଳେ କେହି କେହି ଦୀନେଶଙ୍କ ଭଳି ଏଗୁଡ଼ିକୁ ରୋଷେଇ ଘର ଭାବେ ବ୍ୟବହାର କରୁଛନ୍ତି। ସେହି ଅଞ୍ଚଳର ଲକ୍ଷ୍ମଣ କୁମାର କୁଶବାହ ଆଉ ପାଦେ ଆଗେଇ ଯାଇ ତାଙ୍କ ପାଇଖାନା ଘରକୁ ଛୋଟ ଦୋକାନରେ ପରିଣତ କରି ଦେଇଛନ୍ତି।

ଛତରପୁର ଏଡିଏମ୍ ଏ ସଂପର୍କରେ ଜାଣିବା ପରେ ଏ ଘଟଣାର ଯାଞ୍ଚ କରାଯିବ ବୋଲି କହିଛନ୍ତି। ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।

(ଦୈନିକ ଜାଗରଣରେ ପ୍ରକାଶିତ)