ସଂସଦକୁ ଶୃଙ୍ଖଳାର ସହିତ ଚାଲିବାକୁ ଦେବାକୁ ନୂଆ ବର୍ଷରେ କଂଗ୍ରେସ ସଂକଳ୍ପ ନେଉ: ପ୍ରଧାନମନ୍ତ୍ରୀ

ନୋଏଡ଼ା: ସଂସଦକୁ ଶୃଙ୍ଖଳାର ସହିତ ଚାଲିବାକୁ ଦେବାକୁ କଂଗ୍ରେସ ନୂଆ ବର୍ଷ ଉପଲକ୍ଷେ ସଂକଳ୍ପ ନେଉ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରାମର୍ଶ ଦେଇଛନ୍ତି। ଦେଶର ବିକାଶ ଓ ହିତ ପାଇଁ କଂଗ୍ରେସ ଏଭଳି ସଂକଳ୍ପ ନେବା ଉଚିତ୍ ବୋଲି ସେ କହିଛନ୍ତି। ନୋଏଡାରେ ଦିଲ୍ଲୀ-ମୀରଟ ୧୪ ଲେନ୍ ଏକ୍ସପ୍ରେସୱେର ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ମୋଦି କହିଛନ୍ତି, ‘କଂଗ୍ରେସ ୬୦ରୁ ଅଧିକ ବର୍ଷ ଧରି ଦେଶକୁ ଶାସନ କରି ଆସିଛି। ନିଜର ରାଜନୈତିକ ହିତ ସାଧନ ପାଇଁ କଂଗ୍ରେସ ସଂସଦକୁ ଅଚଳ କରି ଦେବା ଠିକ୍ ନୁହେଁ। ଏହା ଦେଶର ବିକାଶ ଧାରାରେ ବାଧା ସୃଷ୍ଟି କରୁଛି। ସେମାନେ ବରଂ ସଂସଦ ଚଳାଇବା ନେଇ ଅଧିକ ଦାୟିତ୍ୱବାନ ହେବା ଉଚିତ୍। ସଂସଦରେ ଆଇନ୍ ତିଆରି ହୁଏ। କିନ୍ତୁ ଭାରତର ଦୁର୍ଭାଗ୍ୟ ଯେ ସଂସଦ ଚାଲି ପାରୁ ନାହିଁ। ଯେହେତୁ ଲୋକସଭାରେ ମୋତେ କହିବାର ସୁଯୋଗ ମିଳୁ ନାହିଁ, ତେଣୁ ମୁଁ ଜନସଭାଗୁଡ଼ିକରେ ମୋର ମତଗୁଡ଼ିକୁ ଉପସ୍ଥାପିତ କରୁଛି। କୌଣସି ରାଜନୈତିକ ଦଳ ସଂସଦକୁ ଅଚଳ କରିବା ଉଚିତ୍ ନୁହେଁ।’