ଜାଲିକାଟୁ ଉଦ୍‌ଘାଟନୀ ସମାରୋହକୁ ଯିବା ବାଟରୁ ଫେରିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ଜାଲିକାଟୁ ପ୍ରଦର୍ଶନକୁ ନେଇ ପ୍ରଦର୍ଶନକାରୀମାନେ ଆଜି ଅଲଙ୍ଗନଲ୍ଲୁରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ଏହି ଉଦ୍‌ଘାଟନୀ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିରସେଲଭମ୍‌ ପହଞ୍ଚି ନପାରି ଶେଷରେ ଚେନ୍ନାଇ ଫେରିଛନ୍ତି।

ଅଲଙ୍ଗନଲୁର ଅଧିବାସୀମାନେ ଏହି ମାମଲାର ସ୍ଥାୟୀ ସମାଧାନ ପାଇଁ ଦାବି କରିବାକୁ ଯାଇ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଛନ୍ତି। ଷଣ୍ଢ ବାହାରିବାକୁ ଥିବା ରାସ୍ତାକୁ ଅବରୋଧ କରିଛନ୍ତି। ପ୍ରଦର୍ଶନକାରୀଙ୍କ କହିବାନୁଯାୟୀ, ଏହି ଅଧ୍ୟାଦେଶ ତତ୍କାଳୀନ ସମୟ ପାଇଁ ଆସ୍ୱସ୍ଥି ପ୍ରଦାନ କରିଛି, ଯାହାକୁ ସୁପ୍ରିମକୋର୍ଟ କେଉଁ ସମୟରେ ବି ରଦ୍ଦ କରିଦେଇ ପାରବେ।

ଅନ୍ୟ ପଟେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ବିରୋଧ ପତ୍ର ଦାଖଲ କରିଛନ୍ତି। ଫଳରେ କୋର୍ଟରେ ଯଦି କେହି ଏହି ଅଧ୍ୟାଦେଶ ଉପରେ ଚାଲେଞ୍ଜ କରନ୍ତି, ତେବେ କୋର୍ଟ ତାଙ୍କ ରାୟ ଶୁଣାଇବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷ ଶୁଣିବାର ଆବଶ୍ୟକ ରହିବ।

ଖବର ମୁତାବକ ଜାଲିକାଟୁକୁ ନେଇ ତାମିଲନାଡୁ ସରକାରଙ୍କ ଅଧ୍ୟାଦେଶ ପରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇସାରିଛନ୍ତି।