ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ଘର ବେଆଇନ ନୁହେଁ: ଟିଡିପି

ମୁଖ୍ୟମନ୍ତ୍ରୀ ଜଗନଙ୍କ ବାପା ଓ୍ୱାଇଏସଆର ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ନାଇଡୁଙ୍କୁ ଘର ନିର୍ମାଣ ପାଇଁ ଅନୁମତି ଦେଇଥିଲେ: ଟିଡିପି

ଅମରାବତୀ: କ୍ଷମତାକୁ ଆସିବା ପରେ ଜଗନ ସରକାର ନାଇଡୁଙ୍କ ସରକାର ବେଳେ ହୋଇଥିବା ଅନେକ କାମ ବେଆଇନ ବୋଲି ଦର୍ଶାଇଛନ୍ତି। ଏବେ ଏହାକୁ ନେଇ ଆନ୍ଧ୍ରପ୍ରଦେଶ ରାଜନୀତି ସରଗରମ ହୋଇଛି। ଉଭୟ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଏବଂ ବିରୋଧୀ ତେଲୁଗୁ ଦେଶମ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ଗତକାଲି ଆନ୍ଧ୍ରପ୍ରଦେଶ ସରକାର ନାଇଡୁଙ୍କ ଅମରାବତୀ ବାସଭବନ ବେଆଇନ ଦର୍ଶାଇ ନୋଟିସ୍ ମାରିଥିଲେ। ଏବେ ତେଲୁଗୁ ଦେଶମ ପାର୍ଟି ପ୍ରତିକ୍ରିୟା ଦେଇ କହିଛି, ନାଇଡୁଙ୍କ ଏହି ଘର ବେଆଇନ ନୁହେଁ। । ୨୦୦୭ ମସିହାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ବାପା ତଥା ସେତେବେଳର ମୁଖ୍ୟମନ୍ତ୍ରୀ ଓ୍ୱାଇଏସଆର ରେଡ୍ଡୀ ଏହି ଘର ନିର୍ମାଣ ପାଇଁ ଅନୁମତି ଦେଇଥିଲେ ବୋଲି ଟିଡିପି ସ୍ପଷ୍ଟ କରିଛି। ଜଗନ ସରକାର କ୍ଷମତାର ଅପବ୍ୟବହାର କରି ନାଇୁଡୁଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ଏହି ବିରୋଧୀ ଦଳ କହିଛି।

ଗତକାଲି ସିଆରଡିଏ ନାଇଡୁଙ୍କ ଘରେ ନୋଟିସ ଲଗାଇବା ପରେ ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡୁ ଦଳର ନେତାଙ୍କୁ ନେଇ ବୈଠକ କରିଥିଲେ। ଏହାପରେ ଟିଡିପି ଏହି ସ୍ପଷ୍ଟୀକରଣ ରଖିଛି।

ବିରୋଧୀ ଦଳର ଉପନେତା କେ ଅଚ୍ଚନାଇଡୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ୨୦୦୭ରେ ଜଗନଙ୍କ ବାପା ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ଜାଗାରେ ସୁଇମିଂ ପୁଲ ନିର୍ମାଣ ପାଇଁ ଅନୁମତି ପାଇଥିଲେ ଚନ୍ଦ୍ରବାବୁ ନାଇଡୁ। ସେହିପରି କୋଠା ନିର୍ମାଣ ପାଇଁ ୨୦୦୮ରେ ଗାଁ ପଞ୍ଚାୟତ ଅନୁମତି ଦେଇଥିଲା। ସେପ୍ଟେମ୍ୱର ୧୫, ୨୦୧୧ରେ କୋଠା ନିର୍ମାଣ କାମ ଶେଷ ହୋଇଥିଲା। ଏହାପରେ ଏହି ଚାଷ ଜମିକୁ ଅଣ ଚାଷ ଜମିରେ ରୂପାନ୍ତରିତ କରାଯାଇଥିଲା। ସେଥିପାଇଁ ଆବଶ୍ୟକ ୧୮ ଲକ୍ଷ ଟଙ୍କା ପୈଠ ମଧ୍ୟ କରାଯାଇଥିଲା।

ସେତେବେଳେ ସିଆରଡିଏ ଆକ୍ଟ ଲାଗୁ ହୋଇନଥିଲା। ୨୦୧୪ରେ ଏହି ସିଆରଡିଏ ଆକ୍ଚ ଲାଗୁ ହୋଇଥିଲା। ତେଣୁ ଏବେ କିଭଳି ସିଆରଡିଏ ଆକ୍ଟ ଏହି ଘର ଉପରେ ପିଛିଲା ଭାବେ ଲାଗୁ ହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ଉପନେତା। ୨୦୧୨ରେ ଏହି ସବୁ ପ୍ରକ୍ରିୟା ସରିଥିବା ବେଳେ ୨୦୧୪ରେ ନାଇଡୁ କ୍ଷମତାକୁ ଫେରିଥିଲେ।

ଜବାବରେ ଓ୍ୱାଇଏସଆର କଂଗ୍ରେସର ବିଧାୟକ ରାମକ୍ରିଷ୍ଣନ ରେଡ୍ଡୀ କହିଛନ୍ତି, ନାଇଡୁ ହେଲିପ୍ୟାଡ ନିର୍ମାଣ କରିବା ପାଇଁ ଅନୁମତି ନେଇ ନାହାନ୍ତି। ନଦୀ କୂଳରେ ଏହି ଘର ନିର୍ମାଣ ପାଇଁ ନାଇଡୁ ଯେଉଁ ଏନଓସି ନେଇଛନ୍ତି ତାହା ସ୍ଥାୟୀ ନୁହେଁ, ପରିବର୍ତ୍ତନଶୀଳ। ଖାଲି ନାଇଡୁଙ୍କୁ ନୁହେଁ କ୍ରିଷ୍ଣା ନଦୀ କୂଳରେ ଥିବା ଅନ୍ୟ ୨୦ଟି ଘରକୁ ମଧ୍ୟ ସିଆରଡିଏ ନୋଟିସ ପଠାଇଛି। ଏହି ସମସ୍ତ ଘର ନଦୀ କୂଳରେ ଘର ତିଆରି କରିବା ପାଇଁ ଯେଉଁ ସର୍ତ୍ତ ରଖିଥିଲେ ତାହା ସଠିକ୍ ଭାବରେ ପାଳନ କରୁନହାନ୍ତି ବୋଲି ରାମକ୍ରିଷ୍ଣନ କହିଛନ୍ତି।