ସାବାସ୍‌ ପୋଲିସ ବାବୁ! ରାସ୍ତାରେ ପଡ଼ିଥିବା ଭୋକିଲା ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇଲେ

ନୂଆଦିଲ୍ଲୀ: କୌଣସି ପୋଲିସ ଅଫିସରଙ୍କୁ ଦେଖି ସାଧାରଣ ଲୋକଙ୍କ ମନରେ ଭୟ ଆସିଯାଏ। ପୋଲିସ କେବଳ ଲୋକଙ୍କୁ ହଇରାଣ କରେ ବୋଲି ଅଧିକାଂଶ ଲୋକଙ୍କ ଧାରଣା ରହିଛିକିଛି ପୋଲିସ ଏମିତି କରୁଥାଇ ପାରନ୍ତି, ହେଲେ ସମସ୍ତେ ନୁହେଁ। ଏମିତି ବହୁ ପୋଲିସ ଅଫିସର ଅଛନ୍ତି, ଯେଉଁମାନେ ନିଜ କାମ ପାଇଁ ପ୍ରଶଂସା ପାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଯାଇଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏମିତି ଜଣେ ପୋଲିସ ଅଫିସରଙ୍କ ଫଟୋ ଭାଇରାଲ ହେଉଛିଯାହାକୁ ଦେଖିଲେ, ଆପଣଙ୍କ ପାଟିରୁ ବାହାରି ଆସିବ ‘ସାବାସ୍‌ ପୋଲିସ ବାବୁ, ସାବାସ୍‌’। ଏହି ଫଟୋଟି ଜଣେ ଟ୍ରାଫିକ୍‌ ପୋଲିସଙ୍କର। ଫଟୋରେ ସେ ଜଣେ ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେଉଥିବା ଦେଖିବାକୁ ମିଳୁଛି। ଘଟଣାଟି ହାଇଦ୍ରାବାଦ୍‌ର କୁକାପଲ୍ଲୀର।

ସୂଚନାଯୋଗ୍ୟ, କୁକାପଲ୍ଲୀ ଟ୍ରାଫିକ୍‌ ଛକ ପାଖରେ ଥିବା ଏକ ଚା’ ଦୋକାନ ରହିଛି। ସେଠାରେ ଜଣେ ବୃଦ୍ଧା ତିନି ଦିନ ହେବ ଆସି ବସୁଥିଲେ। କିଛି ଖାଉ ନଥିଲେ କି ପିଉ ନଥିଲେ। ସେଠାରେ କାର୍ଯ୍ୟରତ ଟ୍ରାଫିକ୍‌ ହୋମ୍‌ଗାର୍ଡ ବି.ଗୋପାଲ ତାଙ୍କୁ ଦେଖୁଥିଲେ, ହେଲେ ଏତେଟା ଧ୍ୟାନ ଦେଇ ନଥିଲେ। ହେଲେ ଏପରି ଅଖିଆ ଅପିଆ ତିନି ଦିନ ବୃଦ୍ଧା ଜଣଙ୍କ ବସି ରହିବା ପରେ ଗୋପାଲ ତାଙ୍କୁ ଗୁରୁତର ସହ ନେଇଥିଲେ। ସେ ତାଙ୍କ ପାଖକୁ ଯାଇ କଥା ହୋଇଥିଲେ। କଥାବାର୍ତ୍ତା ବେଳେ ସେ ଜାଣିବାକୁ ପାଇଥିଲେ ଯେ ମହିଳା ଜଣଙ୍କ କିଛିଦିନ ହେବ ଭୋକିଲା ଅଛନ୍ତି।

ଏହା ଜାଣିବା ପରେ ଗୋପାଲ ତାଙ୍କୁ ଚାହା ଦେବା ସହ କିଛି ଖାଇବାକୁ ଦେଇଥିଲେ। ହେଲେ ମହିଳା ଜଣଙ୍କ ଏତେ ଦୁର୍ବଳ ହୋଇଯାଇଥିଲେ ଯେ, ନିଜ ହାତରେ ଖାଇପାରି ନଥିଲେ। ଏହାଦେଖି ଗୋପାଲ ନିଜେ ତାଙ୍କୁ ଖୁଆଇ ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହିଳାଙ୍କର ୯ ଜଣ ସନ୍ତାନ ଅଛନ୍ତି। ସମସ୍ତେ ନିଜ ସଂସାରକୁ ନେଇ ବ୍ୟସ୍ତ। ସେମାନଙ୍କୁ ଯିଏ ସଂସାରକୁ ଆଣିଛି ତାକୁ ଦୁଇ ମୁଠା ଖାଇବାକୁ ଦେବାକୁ ଓ ବୃଦ୍ଧାବସ୍ଥାରେ ସେବା କରିବାକୁ ସେମାନଙ୍କର ଆଗ୍ରହ ନାହିଁ।