ମହାପ୍ରସାଦରେ ବିଷ ମିଶାଇବାକୁ ଯୋଜନା କରୁଥିଲେ ଆତଙ୍କୀ

ମୁମ୍ବାଇ: ମୁମ୍ବାରାଠାରୁ ଗିରଫ ହୋଇଥିବା ୧୦ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ତଥ୍ୟ ମହାରାଷ୍ଟ୍ର ଏଟିଏସ୍‌ ହାତରେ ଲାଗିଛି। ଏହି ୧୦ ଆତଙ୍କୀଙ୍କୁ ଚଳିତ ବର୍ଷ ଜାନୁଆରୀମାନେ ମୁମ୍ବାରାରୁ ଗିରଫ କରାଯାଇଥିଲା। ଏବେ ଏଟିଏସ୍‌ ଏହାର ତଦନ୍ତ କରି ଚାର୍ଜଶିଟ୍‌ ପ୍ରସ୍ତୁତ କରିଛି। ଚାର୍ଜଶିଟ୍‌ ଅନୁଯାୟୀ, ଆତଙ୍କବାଦୀମାନେ ମୁମ୍ବାରା ଠାରେ ଥିବା ମନ୍ଦିରରେ ମିଳୁଥିବା ମହାପ୍ରସାଦରେ ବିଷ ମିଶାଇବାକୁ ଯୋଜନା କରୁଥିଲେ। ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ ବିବାଦୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକକୁ ଅନୁସରଣ କରୁଥିଲେ।

ଏମାନେ ୪୦୦ ବର୍ଷ ପୁରୁଣା ମୁମ୍ବେରଶ୍ୱର ମନ୍ଦିରରେ ଆକ୍ରମଣ କରି ଏଠାକୁ ଆସୁଥିବା ଶ୍ରଦ୍ଧାଳଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ମନ୍ଦିରରେ ମିଳୁଥିବା ମହାପ୍ରସାଦରେ ବିଷ ମିଶାଇ ୪୦୦ ହିନ୍ଦୁ ଭକ୍ତଙ୍କୁ ହତ୍ୟା କରିଥାଆନ୍ତେ।

ଏହି ୧୦ ଜଣଙ୍କୁ ବିସ୍ଫୋରକ ତିଆରି ଏବଂ ଏହାର ବ୍ୟବହାର ପାଇଁ ମଧ୍ୟ ତାଲିମ ଦିଆଯାଇଥିଲା। ଥାଣେ ଜିଲ୍ଲାରେ ଥିବା ମୁମ୍ବାରା ବାଇପାସ୍‌ରେ ବିସ୍ଫୋରଣ ଟ୍ରାଏଲରେ ମଧ୍ୟ ଏମାନେ ଭାଗ ନେଇଥିଲେ। ମହାରାଷ୍ଟ୍ର ଏଟିଏସ୍‌ ଜାନୁଆରୀ ମାସରେ ମୁମ୍ବାରା ଓ ଔରଙ୍ଗାବାଦ୍‌ରୁ ଉମାତ-ଇ-ମହମ୍ମଦିୟା ଗ୍ରୁପ୍‌ର ୧୦ ଜଣ ସଦସ୍ୟଙ୍କୁ ଆଇଏସ୍‌ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ କରିଥିଲେ। ଏହାପରେ ତଦନ୍ତ କରି ଏଭଳି ତଥ୍ୟ ହାସଲ କରିବାକୁ ସକ୍ଷମ ହୋଇଛି।