ମାଲିରେ ପଣବନ୍ଦୀ ସଂକଟ ଶେଷ: ହୋଟେଲରୁ ୨୭ ମୃତଦେହ ଉଦ୍ଧାର, ୨୦ ଭାରତୀୟ ସୁରକ୍ଷିତ

ବାମାକୋ/ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ମାଲିର ରାଜଧାନୀ ବାମାକୋରେ ଶୁକ୍ରବାର ଦେଖା ଦେଇଥିବା ପଣବନ୍ଦୀ ସଂକଟନର ଅବସାନ ଘଟିଛି। ପ୍ୟାରିସ ହମଲାର ଠିକ୍ ୮ ଦିନ ପରେ ଆଫ୍ରିକୀୟ ରାଷ୍ଟ୍ର ମାଲିକୁ ଟାର୍ଗେଟ କରିଥଲେ ଆତଙ୍କବାଦୀ। ମାଲିର ରାଜଧାନୀ ବାମାକୋରେ ଥିବା ଏକ ହୋଟେଲ ଉପରେ ଆକ୍ରମଣ କରି ସେଠାରେ ଥିବା ୧୭୦ ଜଣଙ୍କୁ ପଣବନ୍ଦୀ କରିଥିଲେ ଆତଙ୍କବାଦୀ। ପ୍ରାୟ ୮ ଘଣ୍ଟା ଧରି ସୁରକ୍ଷା କର୍ମୀଙ୍କ ସଂଘର୍ଷ ପରେ ଏହି ସଂକଟର ଅବସାନ ହୋଇଥିବା ବେଳେ ହୋଟେଲ୍ ମଧ୍ୟରୁ ୨୭ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ୧୦ ଜଣ ଆତଙ୍କୀ ଏହି ପଣବନ୍ଦୀ ଓ ଆକ୍ରମଣ ଭିଆଇ ଥିବା କୁହାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ହୋଟେଲରେ ପଣବନ୍ଦୀ ହୋଇଥିବା ସମସ୍ତ ୨୦ ଭାରତୀୟ ସୁରକ୍ଷିତ ରହିଛନ୍ତି ବୋଲି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବାମାକୋ ସହରର କେନ୍ଦ୍ରସ୍ଥଳୀରେ ଥିବା ୧୯୦ ରୁମ୍ ବିଶିଷ୍ଟ ରେଡିସନ୍ ବ୍ଲୁ ହୋଟେଲ ଉପରେ ପ୍ରାୟ ୧୦ ଜଣ ଆତଙ୍କବାଦୀ ଆଜି ଅପରାହ୍ନ ପ୍ରାୟ ଅଢ଼େଇଟା ବେଳେ (ଭାରତୀୟ ସମୟ ଅନୁଯାୟୀ) ଆକ୍ରମଣ କରିଥିଲେ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଆତଙ୍କୀମାନେ ହୋଟେଲରେ ଥିବା ୧୪୦ ଅତିଥି ଏବଂ ୩୦ କର୍ମଚାରୀଙ୍କୁ ପଣବନ୍ଦୀ କରି ନେଇଥିଲେ। ଘଟଣା ପରେ ମାଲିର ପୋଲିସ, ସେନା ଓ ସ୍ୱତନ୍ତ୍ର ଫୋର୍ସ ହୋଟେଲ ଚାରିପଟକୁ ଘେରି ଅପରେସନ୍ ଆରମ୍ଭ କରି ଥିଲେ। ଜାତିସଂଘ ଶାନ୍ତିସେନାର କିଛି ସୈନ୍ୟ ମଧ୍ୟ ସେମାନଙ୍କୁ ସହୟତା କରିଥିଲା।