ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ପାକିସ୍ତାନୀ ଆତଙ୍କବାଦୀ ଆଫଗାନିସ୍ତାନର ପରିଚୟ ପତ୍ର ଜରିଆରେ ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରିପାରନ୍ତି ବୋଲି ଭାରତୀୟ ଗୁଇନ୍ଦା ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏବଂ ଦେଶର ଅନ୍ୟ ବରିଷ୍ଠ ନେତାମାନଙ୍କ ସୁରକ୍ଷା  ଦାୟିତ୍ୱ କଡ଼ା କଡ଼ି କରିବାକୁ ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଦିଲ୍ଳୀ ପୋଲିସ୍‌କୁ  କୁହାଯାଇଛି।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ସହ ଜାତୀୟ ରାଜପଥରେ ଠାରୁ ୨.୫ କି.ମି ଦୂରରେ ଥିବା ସମସ୍ତ ବିଲ୍ଡିଂକୁ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। ସ୍ୱତନ୍ତ୍ର ସୁରକ୍ଷା ଦଳ(ଏସପିଜି)ର ନିର୍ଦ୍ଦେଶକ ଏ.କେ ସିହ୍ନା ଆଇବି ପ୍ରମୁଖଙ୍କ ସହ ଆଲୋଚନା କରିଛନ୍ତି।  ସେ କହିଛନ୍ତି, “ଗଣତନ୍ତ୍ର ଦିବସ ଦିନ ହେବାକୁ ଥିବା ପରେଡ୍‌ ରାସ୍ତାରେ ଗୁପ୍ତଚର ମୁତୟନ କରାଯିବ।”

 

ଖବର ଅନୁଯାୟୀ,  ଆତଙ୍କବାଦୀଙ୍କ ଆକ୍ରମଣର  ସୂଚନା ପାଇବା ପରେ  ଦିଲ୍ଲୀରେ ହଜାର ସଂଖ୍ୟାରେ ପୋଲିସ୍‌ମୁତୟନ କରାଯାଇଛି। ଆକାଶ ମାର୍ଗ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀ ପୋଲିସ୍ ଆଣ୍ଟି ଡ୍ରୋନ୍‌ ଟେକ୍‌ନିକ୍‌ର ବ୍ୟବହାର କରୁଛି।

 

ଏକ ଗଣମାଧ୍ୟମର ପ୍ରକାଶିତ ଖବର ମୁତାବକ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ ପାଇଁ ସୁରକ୍ଷା କର୍ମୀଙ୍କ ପୋଷାକର ବ୍ୟବହାର ମଧ୍ୟ କରିପାରନ୍ତି। ସେଥିପାଇଁ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କ କଡ଼ା ଯାଞ୍ଚ ପାଇଁ ନିର୍ଦ୍ଦେଶ  ଦିଆଯାଇଛି।