ଆତଙ୍କବାଦୀ ମାସୁଦ ଆଝାରକୁ ହେପାଜତକୁ ନେଇଛି ପାକିସ୍ତାନ ପୋଲିସ

ଲାହୋର: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ ପାକିସ୍ତାନ ପୋଲିସ ନିଜ ହେପାଜତକୁ ନେଇଛି। ଆଜି ଏ ନେଇ ସ୍ପଷ୍ଟ କରିଛନ୍ତି ପାକିସ୍ତାନ ମନ୍ତ୍ରୀ ରାଣା ସାନ୍ଉଲ୍ଲାହ। ପଠାନକୋଟ ଆକ୍ରମଣ ମାମଲାରେ ମାସୁଦକୁ ହେପାଜତକୁ ନିଆଯାଇଥିବା ରାଣା ପାକିସ୍ତାନର ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପଠାନକୋଟ ଆକ୍ରମଣ ମାମଲାରେ ଯଦି ମାସୁଦ ଆଝାରର ହାତ ଥିବା ସ୍ପଷ୍ଟ ହୁଏ ତେବେ ତାକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ଆଝାରକୁ ପାକିସ୍ତାନ ପୋଲିସ ନିଜ ହେପାଜତକୁ ନେଇଥିବା ବୁଧବାର ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ମାସୁଦକୁ ଅଟକ ରଖିଥିବା ନେଇ ପାକିସ୍ତାନ ସରକାରୀ ଭାବେ ଭାରତକୁ କିଛି ଜଣାଇ ନ ଥିବା ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ବିକାଶ ସ୍ୱରୁପ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେହିପରି ମାସୁଦ ଅଟକ ଥିବା ନେଇ କୌଣସି ସୂଚନା ନ ଥିବା ମଧ୍ୟ ଗୁରୁବାର ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ସୂଚନା ଦେଇଥିଲା।