ପୋଲିସ୍‌କୁ ଧମକ; ଆତଙ୍କବାଦୀଙ୍କୁ ସହଯୋଗ କର, ନହେଲେ ବରବାଦ ହେବ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ନୂଆ ଟପ୍‌ କମାଣ୍ଡର୍‌ ଧମକ ଦେଇଛି। ଏହାସହିତ ଆତଙ୍କବାଦୀଙ୍କୁ ସହଯୋଗ କରିବାକୁ ଜମ୍ମୁ-କାଶ୍ମୀରର ପୋଲିସ୍‌ ଓ ଅନ୍ୟ ସାଧାରଣ ସରକାରୀ କର୍ମଚାରୀଙ୍କୁ ଧମକ ଦେଇଛି। ନିଜକୁ ବରବାଦ ହେବାରୁ ରୋକିବାକୁ ସେ ସେମାନଙ୍କୁ ଚେତାବନୀ ଦେଇଛି। ଆତଙ୍କବାଦୀଙ୍କ ସମର୍ଥନ  ନ କଲେ ପରିଣାମ ଭୟଙ୍କର ହୋଇପାରେ ବୋଲି ସେ କହିଛି।

ହିଜ୍‌ବୁଲ୍‌ର ଡିଭିଜନାଲ୍ କମାଣ୍ଡର୍ ୟାସିନ୍ ୟାତୁ ଉର୍ଫ ଗଜନବୀ ସୋସିଆଲ୍ ମିଡିଆରେ ଏକ ଭିଡିଓ ମେସେଜ୍‌ ପୋଷ୍ଟ କରିଛି।  ଏହି ଭିଡିଓରେ ଜିହାଦ୍‌ ଭାରତ ଓ ସ୍ଥାନୀୟ ଲୋକଙ୍କ ସମସ୍ତ ସମସ୍ୟାର ସମାଧାନର ବାଟ ବୋଲି ସେ କହୁଛି।  ସୁରକ୍ଷାକର୍ମୀ ବିରୋଧରେ ବଡ଼ ଧରଣର ଆକ୍ରମଣ ଜାରି ରହିବ ବୋଲି ଚେତାବନୀ ଦେଇଛି।

ଜମ୍ମୁ ଓ କାଶ୍ମୀରରେ ବିରୋଧ ପ୍ରଦର୍ଶନ କରୁଥିବା ଓ ପଥରରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରୁଥିବା ଛାତ୍ରଙ୍କୁ ସେ ପ୍ରଶଂସା କରିଛି। ଏପରିକି ଭାରତ ବିରୋଧରେ ଯୁଦ୍ଧ କରିବାକୁ ସେ ଛାତ୍ରଙ୍କୁ ଉସୁକାଇଛି।

ଆତଙ୍କୀ ନାଁରେ ଅର୍ଥ ଆଦାୟ କରୁଥିବା ଲୋକଙ୍କୁ ଗଜନବୀ ଚେତାବନୀ ଦେଇଛି। ହିଜିବୁଲ୍‌କୁ ଅର୍ଥର ଆବଶ୍ୟକତା ନାହିଁ, ତାକୁ ଲୋକଙ୍କ ସମର୍ଥନ ଆବଶ୍ୟକ ବୋଲି ସେ କହିଛି।