ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ :୨ ଯବାନ ସହିଦ

ଜମ୍ମୁ: ଜମ୍ମୁ ଓ କାଶ୍ମୀର ସୁଞ୍ଜୱାନ ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଘଟଣାରେ ଅନ୍ୟଜଣେ ଜେସିଓଙ୍କ ସହ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଆର୍ମି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ସହିଦ ଯବାନମାନେ ହେଲେ ଜେସିଓ ଏମ୍ ଅସରଫ ମିର୍ ଏବଂ ମଦନ ଲାଲ୍।

ଆଜି ସକାଳ ପ୍ରାୟ ୫ଟା ବେଳେ ଏହି ଆକ୍ରମଣ ହୋଇଛି। ୩ ରୁ ୪ଜଣ ଆତଙ୍କବାଦୀ କ୍ୟାମ୍ପ ଭିତରେ ପଶି ଏକ କ୍ୱାର୍ଟର୍ସ ଉପରେ ଆକ୍ରମଣ କରିଥିଲେ।  ଆକ୍ରମଣ ପରେ ସେନା ଓ ପୋଲିସର ମିଳିତ ଅପରେସନ ଜାରି ରହିଛି।  କ୍ୟାମ୍ପ ଠାରୁ ୫୦୦ ମିଟର ଦୂରରେ ଥିବା ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ହାତ ଥିବା ସନ୍ଦେହ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ ଓ କାଶ୍ମୀର ପୋଲିସ ଡିଜିଙ୍କ ସହ ଫୋନରେ କଥା ହୋଇଛନ୍ତି। ଘଟଣା ଉପରେ ନଜର ରଖିବାକୁ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଗତ୧୦ ବର୍ଷ ଭିତରେ ସୁଞ୍ଜୱାନ ଆର୍ମି କ୍ୟାମ୍ପରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ ହୋଇଛି।