ରାଜନୀତିରେ ଅଟଳ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଜଣେ ସ୍ୱୟଂସେବକ ଭାବେ ୧୯୩୯ ମସିହାରେ ଅଟଳ ବିହାରୀ ବାଜପେୟୀ ଯୋଗଦେଇଥିଲେ। ଏହାପରେ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଅଟଳଜୀ ନିଜ ଭାଇଙ୍କ ସହ ୨୩ ଦିନ ପାଇଁ ଜେଲ ଯାଇଥିଲେ ।

ବାବା ସାହେବ୍ ଆପ୍ତେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବାଜପେୟୀ ୧୯୪୦ରୁ ୧୯୪୪ ଯାଏ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ।

୧୯୪୭ ମସିହାରେ ଅଟଳଜୀ ସଂଘର ପୂର୍ଣ୍ଣକାଳୀନ ସ୍ୱୟଂସେବକ ମାନ୍ୟତା ପାଇଥିଲେ। ଏହା ପରେ  ତାଙ୍କୁ ସଂଘର ପ୍ରଚାରକ ଦାୟିତ୍ୱ ଦିଆଯାଇଥିଲା।

ଦେଶ ବିଭାଜନ ସମୟରେ ଦଙ୍ଗା ଯୋଗୁ ଅଟଳ ବିହାରୀ ବାଜପେୟୀଙ୍କ ଆଇନ ଶିକ୍ଷାରେ ଡୋରି ବନ୍ଧା ଯାଇଥିଲା। ଏହା ପରେ ଅଟଳଜୀ ସାମ୍ବାଦିକତା ଆଡ଼କୁ ମନ ବଳାଇଥିଲେ।

ସମୟ କ୍ରମେ ଆର୍‌ଏସ୍ଏସ୍‌ର ବିଚାରକ ତଥା ବରିଷ୍ଠ ଜନସଂଘ ନେତା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସହ ତାଙ୍କ ସଂପର୍କ ଘନିଷ୍ଠ ହୋଇଥିଲା ଏବଂ ପରେ ଅଟଳଜୀ ଶ୍ୟାମାପ୍ରସାଦଙ୍କ ସହଯୋଗୀ ପାଲଟିଯାଇଥିଲେ।

୧୯୫୪ ମସିହାରେ କଶ୍ମୀରକୁ ଅଣକଶ୍ମୀରୀଙ୍କ ପ୍ରବେଶ ନେଇ କଟକଣା ଜାରି ହେବାରୁ ଏହା ବିରୋଧରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଆମରଣ ଅନଶନ ଆରମ୍ଭ କରିଥିଲେ। ଏହି ସମୟରେ ଶ୍ୟାମାପ୍ରସାଦଙ୍କ ପାଖେ ପାଖେ ଥିଲେ ବାଜପେୟୀ ।

ବକ୍ତୃତା ଦେବାରେ ଅକଳନୀୟ ଦକ୍ଷତା ହିଁ ଥିଲା ଅଟଳଜୀଙ୍କ ପରିଚୟ। ବାଜପେୟୀଙ୍କ ଯୁବାବସ୍ଥାରେ ତାଙ୍କ ଓଜସ୍ୱିନୀ ଭାଷଣ ଶୁଣି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହର ଲାଲ୍ ନେହରୁ ଭବିଷ୍ୟବାଣୀ କରିଥିଲେ ଯେ ଅଟଳବିହାରୀ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ।

କେବଳ ଭାଷଣ ଦେବାରେ ପଟୁତା ନୁହେଁ, ନିଜ ଅଭୂତପୂର୍ବ ସାଙ୍ଗଠନିକ ଦକ୍ଷତା ପାଇଁ ବାଜପେୟୀ ସେତେବଳେ ‘ଜନସଂଘ’ର ପରିଚୟ ମଧ୍ୟ ପାଲଟି ଯାଇଥିଲେ।

ଦୀନଦୟାଲ ଉପାଧ୍ୟାୟଙ୍କ ମୃତ୍ୟୁ ପରେ ଭାରତୀୟ ଜନସଂଘ ନେତୃତ୍ୱର ଭାର ମଧ୍ୟ ଯୁବକ ଅଟଳଙ୍କ କାନ୍ଧକୁ ଆସିଥିଲା।  ୧୯୬୮ ମସିହାରେ ତାଙ୍କୁ ଜନସଂଘର ରାଷ୍ଟ୍ରୀୟ ସଭାପତି ଘୋଷଣା କରାଗଲା ।

ଜନତା ପାର୍ଟି ଓ ବାଜପେୟୀ

ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ୱ ସମୟରେ ୧୯୭୭ରେ ଜାରି ହୋଇଥିବା ଜରୁରୀ କାଳୀନ ଶାସନ ପରିସ୍ଥିତିରେ ଅଟଳଜୀଙ୍କୁ ଗୃହବନ୍ଦୀ ଭାବେ ଜୀବନ କାଟିବାକୁ ପଡ଼ିଥିଲା । ଆଉ ଏହି ଜରୁରୀ ପରିସ୍ଥିତି ଜାରିର ନିଷ୍ପତ୍ତିକୁ  ବିରୋଧ କରି ଅଣ କଂଗ୍ରେସ ଦଳଗୁଡ଼ିକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।

କଂଗ୍ରେସକୁ ଉଚିତ୍‌ ଶିକ୍ଷା ଦେବାକୁ ବାଜପେୟୀ ହିଁ ଜନସଂଘକୁ ଏହି ମହାମେଣ୍ଟରେ ସାମିଲ କରିଥିଲେ। ପରେ ଏହି ନୂଆ ମେଣ୍ଟ ଜନତା ପାର୍ଟି ନାଁରେ ଭାରତୀୟ ରାଜନୀତିରେ ଆତ୍ମପ୍ରକାଶ କରିଥିଲା।

୧୯୭୭ ମସିହାରେ ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଜନତା ପାର୍ଟି ସରକାର ଗଢ଼ିଲା ଏବଂ ବୈଦେଶିକ ମନ୍ତ୍ରୀଭାବେ ଦାୟିତ୍ୱ ନେଲେ ଅଟଳ ବିହାରୀ ବାଜପେୟୀ ।

ସେହି ବୈଦେଶିକ ମନ୍ତ୍ରିତ୍ୱ ଅମଳରେ ଜାତିସଂଘ ଅଧିବେଶନରେ ହିନ୍ଦୀରେ ଭାଷଣ ଦେଇ ବାଜପେୟୀ ନିଜ ବାଗ୍ମିତା, ଦୂରଦୃଷ୍ଟି ଓ ଗଭୀର ଜ୍ଞାନର ପରିଚୟ ଦେଇଥିଲେ। ୧୯୭୯ ମସିହାରେ ମୋରାରଜୀ ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ଜନତାପାର୍ଟି ନିଜ ଅସ୍ତିତ୍ୱ ହରାଇବାକୁ ଆରମ୍ଭ କରିଥିଲା ।

ଭାରତୀୟ ଜନତା ପାର୍ଟି ଏବଂ ଅଟଳଙ୍କ ପ୍ରଧାନମନ୍ତ୍ରିତ୍ୱ

ଜନତା ପାର୍ଟିର ବିଲୟ ପରେ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ଭାରତୀୟ ଜନସଂଘ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବହୁ ସଦସ୍ୟମାନଙ୍କୁ ଏକାଠି କରିଥିଲେ। ଏମାନଙ୍କ ମଧ୍ୟରେ ବାଜପେୟୀଙ୍କ ଅତ୍ୟନ୍ତ ଘନିଷ୍ଠ ଲାଲକୃଷ୍ଣ ଆଡ଼ଭାନୀ ଓ ଭୈରୋଁ ସିଂହ ଶେଖାୱତ୍ ପ୍ରମୁଖ ଥିଲେ ।

୧୯୮୦ ମସିହାରେ ଭାରତୀୟ ଜନସଂଘର ଆଦର୍ଶ ଏବଂ ଆର୍‌ଏସ୍‌ଏସ୍‌ର ବିଚାରଧାରାକୁ ନେଇ ଭାରତୀୟ ଜନତା ପାର୍ଟି(ବିଜେପି) ଗଠନ କରାଯାଇଥିଲା ଏବଂ ଅଟଳଜୀ ହୋଇଥିଲେ ଏହାର ପ୍ରଥମ ସଭାପତି ।

ତେବେ ଜାତୀୟ ରାଜନୀତିରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଭାରତୀୟ ଜନତା ପାର୍ଟି ସଂଘର୍ଷ କରୁଥିବାବେଳେ ଧୈର୍ଯ୍ୟର ସହ ଦଳକୁ ଭବିଷ୍ୟତର ରାସ୍ତା ଦେଖାଉଥିଲେ ବାଜପେୟୀ।

ନବେ ଦଶକର ଆରମ୍ଭ ବେଳକୁ ସଂସଦରେ ଅଟଳଜୀ ଓ ଆଡ଼ଭାନୀଙ୍କୁ ମିଶାଇ ଲୋକସଭାରେ ମାତ୍ର ଦୁଇ ଜଣ ସଦସ୍ୟ ଥିବା ଭାରତୀୟ ଜନତା ପାର୍ଟି ଦଶନ୍ଧିର ମଧ୍ୟଭାଗ ବେଳକୁ ବେଶ୍ ସଶକ୍ତ ହୋଇ ଉଠିଥିଲା। ଏପରିକି ନରସିଂହ ରାଓଙ୍କ ମନ୍ତ୍ରିମଣ୍ଡଳର କାର୍ଯ୍ୟକାଳ ସରିବା ପରେ ଦେଶର ବିଭିନ୍ନ ପ୍ରାନ୍ତରେ ବିଜେପି ବାଜପେୟୀଙ୍କ ନେତୃତ୍ୱରେ ନିଜ ସ୍ଥିତି ଜାହିର କରିବା ଆରମ୍ଭ କରିଥିଲା।

୧୯୯୪ ଏବଂ ୧୯୯୫ରେ କିଛି ବିଧାନସଭା ନିର୍ବାଚନରେ ବିଜେପି ଆଖିଦୃଶିଆ ସଫଳତା ପାଇଥିଲା। ୧୯୯୫ ମସିହା ନଭେମ୍ବର ମାସରେ ତତ୍କାଳୀନ ବିଜେପି ସଭାପତି ଲାଲକୃଷ୍ଣ ଆଡଭାନୀ ଘୋଷଣା କରିଥିଲେ ଯେ  ୧୯୯୬ ସାଧାରଣ ନିର୍ବାଚନରେ ବାଜପେୟୀ ହିଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ୧୯୯୬ ମସିହା ମେ ମାସରେ ନିର୍ବାଚନ ହେଲା ଏବଂ ପ୍ରଥମଥର ପାଇଁ ବିଜେପି କ୍ଷମତା ଦଖଲ କରିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଛୋଟବଡ଼ ପ୍ରାୟ ୨୪ଟି ଦଳକୁ ଗୋଟିଏ ପ୍ଲାଟ୍‌ଫର୍ମରେ ଏକାଠି କରାଇ ନ୍ୟାଶନାଲ୍ ଡେମାକ୍ରାଟିକ୍‌ ଆଲାଏଜ୍ (ଏନ୍‌ଡିଏ)ର ନେତୃତ୍ୱ ନେଇଥିଲେ ଅଟଳଜୀ।

ଝୁଲା ପାର୍ଲାମେଣ୍ଟ ଯୋଗୁ ଆବଶ୍ୟକ ସଂଖ୍ୟା ନଥିବାରୁ  କେନ୍ଦ୍ରରେ ଥରେ ୧୩ ଦିନ ଏବଂ ପରେ ୧୩ ମାସ, ଏହିପରି ଦୁଇ ଦୁଇ ଥର ଭାଙ୍ଗି ଯାଇଥିଲା ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର।

ତେବେ ୧୯୯୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରି କେନ୍ଦ୍ରରେ ୫ ବର୍ଷର କାର୍ଯ୍ୟକାଳ ବେଶ୍ ସଫଳତାର ସହ ଶେଷ କରିଥିଲା ଅଟଳଜୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର।

ମେଣ୍ଟ ସରକାରର ସଫଳତା ପଛରେ ପ୍ରମୁଖ ଆଧାର ଥିଲା ଅଟଳ ବିହାରୀଙ୍କ ଲୋକପ୍ରିୟତା ଓ ଆଦର୍ଶଗତ ବିଚାରଧାରା।