ଭାଲେଣ୍ଟାଇନ ଡେ’ ପଛର କରୁଣ କାହାଣୀ, ଫାଶି ପାଇଥିଲେ…

ଭୁବନେଶ୍ୱର,(ଦେବଦତ୍ତ ରଥ):ଆସନ୍ତା କାଲି ଭାଲେଣ୍ଟାଇନ ଡେ’। ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ। ଫେବୃୟାରୀ ୭ ତାରିଖରେ ରୋଜ୍-ଡେ ଆରମ୍ଭ ହୋଇ ୮ ତାରିଖରେ ପ୍ରପୋଜ୍-ଡେ, ୯ରେ ଚକୋଲେଟ୍-ଡେ, ୧୦ରେ ଟେଡି-ଡେ,୧୧ରେ ପ୍ରମିଜ୍-ଡେ, ୧୨ରେ ହଗ୍-ଡେ,୧୩ରେ କିସ୍-ଡେ ଏବଂ ଶେଷରେ ୧୪ ତାରିଖରେ ଭାଲେଣ୍ଟାଇନ ଡେ’ ପଡ଼ୁଛି । ଭାଲେଣ୍ଟାଇନ ଡେ’ର କାହାଣୀ: ଭାଲେଣ୍ଟାଇନ କୌଣସି ଦିବସର ନାଁ ନୁହେଁ। ଏହା ରୋମର ଜଣେ ପାଦ୍ରିଙ୍କର ନାମ। ସେତେବେଳେ ଲ୍ଲାଉଡିସ୍ ନାମକ ଜଣେ ଶାସକ ରୋମ ଉପରେ ରାଜୁତି କରୁଥିଲେ। ସେ ନିଜକୁ ଜଣେ ଶକ୍ତିଶାଳୀ ଶାସକ ରୂପେ ଦେଖିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଅଧିକ ସଂଖ୍ୟାରେ ସୈନ୍ୟ ବଳ ଆବଶ୍ୟକତା ଥିଲା। କିନ୍ତୁ ସେ ଲକ୍ଷ୍ୟ କଲେ ସ୍ତ୍ରୀ, ପିଲା ପରିବାର ଥିବା ଲୋକ ସୈନ୍ୟ ବିଭାଗରେ ପଶିବାକୁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି। ଏଥିପାଇଁ ଲ୍ଲାଉଡିସ୍ ଭବିଷ୍ୟତରେ କିଛି ଦିନ ପାଇଁ ରାଜ୍ୟରେ ବିବାହ ଉପରେ ପ୍ରତି ବନ୍ଧକ ଲଗାଇଦେଲେ। ଅନେକ ଏହାକୁ ନାପସନ୍ଦ କଲେ ମଧ୍ୟ ଶାସକ ବିରୋଧରେ ବିଦ୍ରୋହ କରିବାକୁ କାହାର ସାହସ ହେଲା ନାହିଁ। ଏହାରି ଭିତରେ ଏକ ପ୍ରେମୀ ଯୁଗଳ ବିବାହ କରିବାକୁ ଲୁଚି ଚାଲି ଆସିଥିଲେ। ପାଦ୍ରି ଭାଲେଣ୍ଟାଇନ ଗୁପ୍ତରେ ସେମାନଙ୍କର ବିବାହ କରାଇ ଦେଲେ। କିନ୍ତୁ ଏକଥା ଶାସକ ଜାଣିବାକୁ ପାଇଲେ। ଏହି ଅଭିଯୋଗରେ ଭାଲେଣ୍ଟାଇନଙ୍କୁ ବନ୍ଦୀ କରାଗଲା । ଆଉ ଖ୍ରୀଷ୍ଟାବ୍ଦ ୨୬୯ଫେବୃଆରୀ ୧୪ରେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଗଲା। ଆଉ ଭାଲେଣ୍ଟାଇନଙ୍କ ସ୍ମୁତି ଉଦ୍ଦେଶ୍ୟରେ ସେବେଠାରୁ ପାଳନ ହେଉଛି ଭାଲେଣ୍ଟାଇନ ଡେ’।

ବିରୋଧ: ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଏହା କେବେଠାରୁ ପାଳନ ହୋଇ ଆସୁଥିବା ବେଳେ ଭାରତରେ ଏହା ଏହି କିଛି ବର୍ଷ ହେଲା ପ୍ରବେଶ କରିଛି। ଏହା ଏକ ଅପ ସଂସ୍କୃତି କହି ଦେଶରେ ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରି ଆସୁଛନ୍ତି। କେଉଁଠି ପାର୍କ ଉପରେ ପ୍ରେମୀ ଯୁଗଳଙ୍କ ଉପରେ ଆକ୍ରମଣ କରୁଛନ୍ତି ତ’ କେଉଁଠି ସେମାନଙ୍କର ଅଭିଭାବକଙ୍କୁ ଡକାଇ ଜୋର ଜବରଦସ୍ତ ବିବାହ କରାଉଛନ୍ତି। ଆଉ କେଉଁଠି ଭାଲେଣ୍ଟାଇନ ଉପହାର ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ରମଣ ହେଉଛି।  ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକର ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। କେତେକ ସ୍ଥାନରେ ମୁସଲିମ ସଙ୍ଗଠନ ମଧ୍ୟ ଏହାକୁ ବିରୋଧ କରିବାର ନଜିର ରହିଛି। ବିଜେପିର ବରିଷ୍ଠ ନେତା ତଥା ବଜରଙ୍ଗ ଦଳର ପୂର୍ବତନନ ରାଷ୍ଟ୍ରୀୟ ସଂଯୋଜକ ସୁବାସ ଚୌହାନଙ୍କ ସହ ଯୋଗାଯୋଗ କରାଯିବାରୁ ଏପରି ଦିବସ ପାଳନ କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ। ପାଶ୍ଚାତ୍ୟ ସଂସ୍କୃତି ମୋହରେ ପଡ଼ି ଯୁବ ପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି ବୋଲି ସେ କହିଛନ୍ତି। ପ୍ରେମକୁ ବିରୋଧ କରାଯାଉନି । କିନ୍ତୁ ଏ’ ଦିବସର କିଛି ମାନେ ହିଁ ନାହିଁ ବୋଲି ସେ କହିଛନ୍ତି। ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ଜନ୍ମ ଜନ୍ମାନ୍ତରର ସାଥୀ ହେବାର ପ୍ରତିଜ୍ଞାଠାରୁ ଏ ଭାଲେଣ୍ଟାଇନ ଡେ’ କ’ଣ ବଡ଼ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କେବଳ ଭାଲେଣ୍ଟାଇନ ଡେ’ ନୁହେଁ ଏ ଫାଦର୍ସ ଡେ’ ଏବଂ ମଦର୍ସ ଡେ’ ଆଦିକୁ ସେ ନାପସନ୍ଦ କରିଛନ୍ତି। ଭାରତୀୟ ପ୍ରତ୍ୟେକ ଦିନ ନିଜ ପିତା ମାତାଙ୍କୁ ପୂଜା କରେ ବୋଲି ସେ କହିଛନ୍ତି।

ପ୍ରେମକୁ ନେଇ କିଛି କଥା: ଦୁନିଆର ସବୁ ବନ୍ଧନ ପ୍ରେମରୁ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖା ଯାଏନି। ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର, ଯେଉଁଠି ତୋଫାନ ଆସିଲେ ବି କାହାର କ୍ଷତି କରାଇ ପାରେ ନା। ଯାହା ଆଗରେ ଦୁନିଆ ହାରିଯାଏ ତାହା ପ୍ରେମ। ହାରିବା ଭିତରେ ଯିଏ ଜିତିବା ଦେଖେ ତାହା ପ୍ରେମ। ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ।