ନେହରୁଙ୍କ ଏହି ୫ଟି ଚିଠିରୁ ମିଳିଥିଲା ଗାନ୍ଧିଙ୍କ ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ସଙ୍କେତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ୩୦ ଜାନୁଆରୀ। ଦେଶର ପିତା ମାହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ। ୧୯୪୮ ମସିହା ଜାନୁଆରୀ ମାସର ଏହି ତାରିଖରେ ନାଥୁରାମ୍ ଗଡ୍‌ସେ ଏକ ପ୍ରାର୍ଥନା ସଭାରେ ଗୁଳି କରି ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ।

ଗାନ୍ଧିଙ୍କ ହତ୍ୟା ପରେ ତୁରନ୍ତ ଗଡ୍‌ସେଙ୍କୁ ଗିରଫ କରାଯାଇଥିଲା ଏବଂ ୧୫ ନଭେମ୍ୱର ୧୯୪୯ ମସିହାରେ ନାଥୁରାମ୍‌ଙ୍କୁ ଫାଶୀ ମଧ୍ୟ ଦିଆଯାଇଥିଲା।

ତେବେ ୩୦ ଜାନୁଆରୀରେ ଗାନ୍ଧିଜୀଙ୍କ ହତ୍ୟାର କିଛି ଦିନ ପୂର୍ବରୁ ସ୍ୱାଧୀନ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହରୁ ଏପରି ଦୁର୍ଘଟଣାର ଆଶଙ୍କା କରିସାରିଥିଲେ। ଖୋଦ୍ ନେହରୁଙ୍କ ଦ୍ୱାରା ଲିଖିତ ୫ଟି ଚିଠିରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଗାନ୍ଧିଙ୍କୁ ହତ୍ୟା ଯୋଜନା ସମ୍ପର୍କରେ ନେହରୁଙ୍କୁ କିଛି ପୂର୍ବ ଆଭାସ ମିଳିଥିଲା।
ନେହେରୁଙ୍କ ଏହି ସବୁ ଚିଠିରେ ଦେଶରେ ହିନ୍ଦୁ ମହାସଭା ଏବଂ ଆର୍‌ଏସ୍‌ଏସ୍‌ର ଗତିବିଧି ସମ୍ପର୍କରେ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।
ନେହରୁଙ୍କ ପ୍ରଥମ ଚିଠି
୨୨, ନଭେମ୍ୱର ୧୯୪୭ ମସିହା, ଅର୍ଥାତ୍‌ ଭାରତ ସ୍ୱାଧୀନ ହେବାର ମାତ୍ର ୩ ମାସ ପରେ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହରୁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେଥିରେ ଲେଖାଥିଲା, “ଆମ ସମ୍ମୁଖରେ ବାହ୍ୟ ବିପଦ ଯେତେ ବଡ଼ ନୁହେଁ, ଦେଶ ମଧ୍ୟରେ ଏପରି ଅନେକ ଶତ୍ରୁ ଅଛନ୍ତି, ଯାହା ଆମ ପାଇଁ ବଡ଼ ବିପଦ। ପ୍ରତିକ୍ରିୟାଶୀଳ ଶକ୍ତି ଓ ସାମ୍ପ୍ରଦାୟିକ ସଂଗଠନ ସ୍ୱାଧୀନ ଭାରତକୁ ଖଣ୍ଡ ଖଣ୍ଡ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି କଥାକୁ ନ ବୁଝି ପାରିଲେ, ଧ୍ୱସଂର ଲୀଳା ଆରମ୍ଭ ହୋଇଯିବ, ଯେଉଁଥିରୁ ଆମେ ମଧ୍ୟ ରକ୍ଷା ପାଇପାରିବା ନାହିଁ। ଏଥିପାଇଁ ଆମକୁ ଏକାଠି ହୋଇ ଏହି ସମସ୍ୟାରୁ ମୁକୁଳିବାକୁ ପଡ଼ିବ।”

ଦ୍ୱିତୀୟ ଚିଠି
ଏହାର ଠିକ୍‌ ଦୁଇ ସପ୍ତାହ ପରେ ୭, ଡିସେମ୍ୱର ୧୯୪୭ ମସିହାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେହରୁ ପୁଣି ଏକ ଚିଠି ଲେଖିଥିଲେ। ଯେଉଁଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ, “ମୋତେ ଏପରି କିଛି ସୂଚନା ମିଳିଛି ଯେ, ଦେଶର କିଛି ପ୍ରାନ୍ତରେ ଆର୍‌ଏସ୍‌ଏସ୍‌ ନିଜର ଶକ୍ତି ପ୍ରଦର୍ଶନ କରୁଛି। ସର୍ବଦା ଦେଖାଯାଇଛି ଯେ, ୧୪୪ ଧାରା ପରି ନିଷେଧାଜ୍ଞା ଲାଗୁ ହେବା ପରେ ମଧ୍ୟ ଏପରି ପ୍ରଦର୍ଶନ ଜାରି ରହିଛି। କିଛି ପ୍ରାନ୍ତୀୟ ସରକାର ଏହି ମାମଲା ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରିନାହାନ୍ତି ଏବଂ ଆଦେଶର ଅବମାନନା କରିଛନ୍ତି।“
ନେହରୁ ଆହୁରି ମଧ୍ୟ ଲେଖିଥିଲେ, “ଆମ ପାଖରେ ଏହି କଥାକୁ ନେଇ ଅନେକ ପ୍ରମାଣ ରହିଛି। ଯେଉଁଥିରୁ ପ୍ରମାଣ ମିଳୁଛି ଯେ, ଆର୍‌ଏସ୍‌ଏସ୍‌ ନିଜ ଅନୁସାରେ ନିଜସ୍ୱ ସେନା ଓ ସଂଗଠନ ଗଠନ କରିଛି। ନାଗରିକଙ୍କ ସ୍ୱାଧୀନତାରେ ହସ୍ତକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ବହୁ ସଂଖ୍ୟାର ଲୋକଙ୍କୁ ଅସ୍ତ୍ରଶସ୍ତ୍ରର ଶିକ୍ଷା ଦେବା ମଧ୍ୟ ଠିକ୍‌ ନୁହେଁ। ଭବିଷ୍ୟତରେ ଏହାର ପ୍ରୟୋଗ ମଧ୍ୟ କରାଯାଇପାରେ। ତେଣୁ ଏହାର ପ୍ରସାର କରିବାକୁ ସୁଯୋଗ ଦେବା ଉଚିତ୍‌ ନୁହେଁ।“
ନେହରୁ ତାଙ୍କ ଚିଠିରେ ନାଜି ଆନ୍ଦୋଳନର ନାମ ନେଇ କହିଥିଲେ, “ଯେପରି ନାଜି ପାର୍ଟି ଜର୍ମାନୀକୁ ଧ୍ୱସଂ କରିସାରିଛି ଏବଂ ସେହିପରି ମୋତେ ତିଳେ ମାତ୍ର ସନ୍ଦେହ ନାହିଁ ଯେ ଯଦି ଆମ ଦେଶରେ ଏପରି କିଛି ହିଂସା ଆଚରଣ ଓ ପ୍ରବୃତ୍ତି ବୃଦ୍ଧି ପାଇବ, ତେବେ ଆମକୁ ଆଗକୁ ବହୁ କ୍ଷତି ସହିବାକୁ ପଡ଼ିପାରେ।“
ନେହେରୁଙ୍କର ଏହି ଆଶଙ୍କାର କିଛି ଦିନ ପରେ ଅର୍ଥାତ୍‌ ୨୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀର ବିରଳା ଭବନରେ ଗାନ୍ଧିଜୀଙ୍କ ପ୍ରାର୍ଥନା ସଭା ଉପରକୁ ବମ୍‌ ଫିଙ୍ଗା ଯାଇଥିଲା।
ତୃତୀୟ ଚିଠି
ଏହି ଘଟଣାର ଦୁଇ ଦିନ ପରେ ନେହରୁ ୨୨, ଜାନୁଆରୀ ୧୯୪୮ରେ ତତ୍‌କାଳୀନ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କୁ ଚିଠି ଲେଖିଥିଲେ।
ସେଥିରେ ନେହରୁ ଲେଖିଥିଲେ, “ଗତ କିଛି ଦିନ ଧରି ଦିଲ୍ଲୀର ଅଧିକାଂଶ ହିନ୍ଦୀ ଓ ଉର୍ଦ୍ଦୁ ଖବରକାଗଜ ବିଷ ଓଗାଳିବାରେ ଲାଗିଛନ୍ତି। ଗାନ୍ଧିଜୀଙ୍କ ଉପବାସ ଅନଶନ ସମୟର ଭୁଲ୍‌ କଥାକୁ ବିଶେଷ  ସ୍ଥାନ ଦିଆଯାଉଛି। ଏଥିରେ କିଛି ହିନ୍ଦୀ ଖବରକାଗଜ ରହିଛି, ଯାହା ହିନ୍ଦୁ ମହାସଭାର ଅଧିକାରିକ ଅଙ୍ଗ କିମ୍ୱା ଏହା ସହିତ ଜଡ଼ିତ। ତେଣୁ ହିନ୍ଦୁ ମହାସଭା ଓ ଆର୍‌ଏସ୍‌ଏସ୍‌ର ଗତିବିଧିକୁ ଦେଖି ଏସବୁ ପ୍ରତି ବେଶି ଦିନ ଉଦାସୀନ ରହିବା କଠିନ ହୋଇପଡ଼ିବ।“
ନେହରୁଙ୍କର ଏହି ଚିଠି ସ୍ପଷ୍ଟ ଇସାରା ଦେଇଥିଲା ଯେ, ଗାନ୍ଧିଙ୍କ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ସେ ଜାଣିପାରିଥିଲେ।

ଚତୁର୍ଥ ଚିଠି
ମହାତ୍ମା ଗାନ୍ଧିଙ୍କ ହତ୍ୟାର ଠିକ୍‌ ତିନି ଦିନ ପୂର୍ବରୁ ଅର୍ଥାତ୍‌ ୧୯୪୮ ମସିହା ଜାନୁଆରୀ ୨୭ରେ ପ୍ରଧାନମନ୍ତ୍ରୀ ନେହରୁ ଦେଶର ଗୁଇନ୍ଦା ନିର୍ଦ୍ଦେଶକ ଟି ଜି ସଞ୍ଜୀବ ପିଲ୍ଲାଇଙ୍କୁ ଚିଠି ଲେଖିଥିଲେ।
ସେଥିରେ ଲେଖାଥିଲା, “ଦିଲ୍ଲୀ ଓ ବିଭିନ୍ନ ପ୍ରାନ୍ତର ଖବର କିଛି ସୂତ୍ର ମାଧ୍ୟମରେ ଆମ ପାଖରେ ପହଞ୍ଚିଛି। ସେଥିରୁ ଜଣାପଡ଼ିଛି ଯେ, ହିନ୍ଦୁ ମହାସଭା ବାରମ୍ୱାର ଆକ୍ରମଣ ଏବଂ ଉତ୍ତେଜକ ଗତିବିଧିରେ ସାମିଲ୍‌ ହେବାକୁ ଲାଗିଛି। ଯଦି ଆପଣଙ୍କୁ ଏସବୁ ବିଷୟରେ ଜଣା ଅଛି, ତେବେ ଆପଣ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।“
ପଞ୍ଚମ ଚିଠି
ଗାନ୍ଧିଙ୍କ ହତ୍ୟାର ଠିକ୍‌ ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ୨୮ ଜାନୁଆରୀରେ ନେହରୁ, ସର୍ଦ୍ଦାର ପଟେଲ୍‌ଙ୍କୁ ଆଉ ଏକ ଚିଠି ଲେଖିଥିଲେ। ସେଥିରେ ସେ ଲେଖିଥିଲେ, “ଲାଲ୍‌ ବାହାଦୂର ଶାସ୍ତ୍ରୀ ମୋତେ କହିଛନ୍ତି ଯେ, ଆର୍‌ଏସ୍‌ଏସ୍‌ର ଲୋକମାନେ ଉତ୍ତରପ୍ରଦେଶର ଭରତପୁରରେ ଅସ୍ତ୍ରଶସ୍ତ୍ର ଟ୍ରେନିଂ ନେଉଛନ୍ତି ଏବଂ ଏହି ଶିବିରକୁ ଯେଉଁମାନେ ଯାଉଛନ୍ତି ସେମାନେ ଅସ୍ତ୍ର ଧରି ଫେରୁଛନ୍ତି।”
ହିନ୍ଦୁ ମହାସଭାର ଗତିବିଧିକୁ ନେଇ ନେହରୁ ଚିନ୍ତିତ ଥିଲେ। ଏପଟେ ଗାନ୍ଧିଜୀ ମଧ୍ୟ ସୁରକ୍ଷା ବଳୟରେ ରହିବାକୁ ମନା କରି ଦେଇଥିଲେ। ଯାହା ନେହରୁଙ୍କୁ ଅଧିକ ଚିନ୍ତାରେ ପକାଇଥିଲା।

ଶେଷରେ ନେହରୁଙ୍କ ଆଶଙ୍କା ସତରେ ପରିଣତ ହୋଇଥିଲା। ୩୦ ଜାନୁଆରୀର ସେହି ଅଶୁଭ ଦିନ ଆସି ପହଞ୍ଚିଥିଲା। ଯାହାକୁ ସମ୍ପୂର୍ଣ୍ଣ ଦେଶ ଆଜି ବି ଭୁଲି ପାରିନାହିଁ।