ନିଜ ନିଷ୍ପତ୍ତି ପାଇଁ ବିବାଦୀୟ ହୋଇଥିଲେ ଏହି ରାଜ୍ୟପାଳମାନେ; କ’ଣ କରିଥିଲେ ପଢ଼ନ୍ତୁ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା,ବିଜେପିକୁ  ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରଠାରୁ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ତେବେ ରାଜ୍ୟପାଳଙ୍କ ନିଷତ୍ତିକୁ ନେଇ  ବିବାଦ ଆମ ଦେଶରେ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ରାଜ୍ୟପାଳ ନିଜ ନିଷ୍ପତ୍ତି ପାଇଁ ବିବାଦୀୟ ହୋଇଛନ୍ତି। ରାଜ୍ୟପାଳଙ୍କୁ ଢାଲ କରି ସରକାର ଗଠନ କିମ୍ବା ଭାଙ୍ଗିବାର ଅନେକ  ନଜିର ରହିଛି। ଆସନ୍ତୁ ଜାଣିବା ସେମିତି କଛି ରାଜ୍ୟପାଳ ଓ ସେମାନଙ୍କ ବିବାଦୀୟ ନିଷ୍ପତ୍ତି ଉପରେ ।

ଠାକୁର ରାମଲାଲ: ୧୯୮୩ରୁ ୮୪ ମଧ୍ୟରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିବା ଠାକୁର ରାମଲାଲଙ୍କ ଏକ ନେଇଥିବା ନିଷ୍ପତ୍ତିକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ବହୁମତ ହାସଲ କରିଥିବା ଏନ. ଟି. ରାମାରାଓ ସରକାରକୁ ସେ ବରଖାସ୍ତ କରି ଦେଇଥିଲେ। ରାମାରାଓ ହାର୍ଟ ଅପରେସନ ପାଇଁ ଆମେରିକା ଯାଇଥିବା ବେଳେ ସେ ଅର୍ଥମନ୍ତ୍ରୀ ଏନ. ଭାସ୍କର ରାଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ।  ଏନ.ଟି. ରାମାରାଓ ଆମେରିକାରୁ ଫେରିବା ପରେ ପୁଣି ସରକାର ଗଠନ ପାଇଁ ଦାବି କରିଥିଲେ।  ଏହାପରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଠାକୁର ରାମଲାଲଙ୍କୁ ରାଜ୍ୟପାଳ ପଦରୁ ହଟାଇ ଶଙ୍କର ଦୟାଲ ଶର୍ମାଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ।  ଆଉ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏନଟି ରାମାରାଓ।

ଭେଙ୍କଟ ସୁବେୟା: ୧୯୮୮ ମସିହାରେ ରାମକୃଷ୍ଣ ହେଗଡେଙ୍କ ନେତୃତ୍ୱରେ କର୍ଣ୍ଣାଟକରେ ଜନତା ପାର୍ଟି ସରକାର ବହୁମତ ହାସଲ କରିଥିଲା।  କିନ୍ତୁ ଟେଲିଫୋନ ଟାପିଂ ମାମଲାରେ ଛନ୍ଦି ହୋଇ ସେ ଇସ୍ତଫା ଦେଇଥିଲେ। ଏହାପରେ ଏସ.ଆର. ବୋମଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବିଧାନସଭାରେ ବହୁମତ  ହରାଇଥିବା ଦର୍ଶାଇ ସେତେବେଳର ରାଜ୍ୟପାଳ ପି. ଭେଙ୍କଟ ସୁବେୟା ତାଙ୍କୁ ବରଖାସ୍ତ କରି ଦେଇଥିଲେ। ଏହାକୁ  ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।  ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୋମଇଙ୍କ ସପକ୍ଷରେ ରାୟ ଦେଇଥିଲେ।  ଏହା ପରେ କର୍ଣ୍ଣାଟକରେ ପୁଣି ଥିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏସ.ଆର.ବୋମଇ।

romeshbhandar

ରମେଶ ଭଣ୍ଡାରୀ: ୧୯୯୮ ମସିହାରେ ଉତ୍ତରପ୍ରଦେଶ ରାଜ୍ୟପାଳ ରମେଶ ଭଣ୍ଡାରୀ ତତ୍‌କାଳୀନ କଲ୍ୟାଣ ସିଂ ସରକାରଙ୍କୁ ବରଖାସ୍ତ କରିଥିଲେ। ଆଉ ନାଟକୀୟ ଢଙ୍ଗରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜଗଦମ୍ବିକା ପାଲ୍। ଏହାକୁ ଚ୍ୟାଲେଞ୍ଜ କରି କଲ୍ୟାଣ ସିଂ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ ଇସ୍ତଫା ଦେଇଥିଲେ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କଲ୍ୟାଣ ସିଂ।

butasingh

ବୁଟା ସିଂ:୨୦୦୫ରେ ବିହାରର ରାଜ୍ୟପାଳ ଥିବା ବୁଟା ସିଂଙ୍କ ନିଷ୍ପତ୍ତି ମଧ୍ୟ ବିବାଦୀୟ ଥିଲା। ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଚାଲିଥିଲା। କିନ୍ତୁ ମେ’ ୨୨ରେ ରାତିରେ ସେ ବିଧାନସଭାକୁ ଭାଙ୍ଗି ଦେଇଥିଲେ। ଲୋକତନ୍ତ୍ରର ରକ୍ଷା ଓ ଘୋଡ଼ା ବେପାରକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା ସେ ଦର୍ଶାଇଥିଲେ। ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା। ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବୁଟା ସିଂଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଘୋଷଣା କରିଥିଲେ।

ସୟଦ ସିବତେ: ୨୦୦୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ସୟଦ ସିବତେ ରାଜିଙ୍କ ନିଷ୍ପତ୍ତି ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା। ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲେ ମଧ୍ୟ ଶିବୁ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। କିନ୍ତୁ ଗୃହରେ ବହୁମତର ପ୍ରମାଣ ଦେଇ ନ ପାରିବାରୁ ସେ ଇସ୍ତଫା ଦେଇଥିଲେ। ପରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱରେ ଝାଡ଼ଖଣ୍ଡରେ ସରକାର ଗଠନ ହୋଇଥିଲା।