ପୂର୍ବତନ ଆର୍ମି ଅଫିସରଙ୍କୁ ପିଟିପିଟି ମାରିଦେଲେ

ଆମେଠି: ଉତ୍ତର ପ୍ରଦେଶରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି କେମିତି ବିଗିଡ଼ି ଯାଇଛି, ତା’ର ଆଉ ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆମେଠିରେ ରହୁଥିବା ଜଣେ ପୂର୍ବତନ ଆର୍ମି ଅଫିସରଙ୍କୁ ତାଙ୍କ ଘର ମଧ୍ୟରେ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଶନିବାର ରାତିରେ ‘ଗୋଡିୟାନ କା ପୂର୍ବା’ ଗାଁରେ ଏଭଳି ଘଟଣା ଘଟିଛି।

ଅବସରପ୍ରାପ୍ତ ଆର୍ମି ଅଫିସର ଅମାନୁଲ୍ଲା ଓ ତାଙ୍କ ପତ୍ନୀ ଘରେ ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘର ନିକଟରେ ଥିବା ଏକ ଦୋକାନରୁ ଚୋରି କରିବାକୁ ଉଦ୍ୟମ କରିଥିଲେ। ଏହାକୁ ଅମାନୁଲ୍ଲା ବିରୋଧ କରିବା ସହ ପୁଲିସ୍‌କୁ ଡାକିବେ ବୋଲି ଧମକ ଦେଇଥିଲେ।

ଏଥିରେ ରାଗି ଯାଇ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ଅମାନୁଲ୍ଲାଙ୍କୁ କାଠ ଫାଳିଆ ଓ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ଅମାନୁଲ୍ଲା ଟଳି ପଡ଼ିଥିଲେ। ଚୋରମାନେ ତାଙ୍କ ପତ୍ନୀଙ୍କୁ ମଧ୍ୟ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ସୌଭାଗ୍ୟବଶତଃ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ପୁଲିସ୍‌ ଏବେ ଘଟଣାର ଛାନଭିନ୍‌ ଆରମ୍ଭ କରିଛି।