ଅବୁ ସଲେମଙ୍କ ତୃତୀୟ ବିବାହ ସ୍ୱପ୍ନ ଧୂଳିସାତ: ଛାଡ଼ିଲାନି ମୁମ୍ବାଇ ପୋଲିସ

ମୁମ୍ବାଇ:୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାର ଦୋଷୀ ସାବ୍ୟସ୍ତ ଅବୁ ସଲେମ ବିବାହ କରିବା ଲାଗି କରିଥିବା ପାରୋଲ ଆବେଦନକୁ ମୁମ୍ବାଇ ପୋଲିସ ଖାରଜ କରିଦେଇଛି। ବିବାହ ଲାଗି ଅବୁ ସଲେମ ୪୦ ଦିନ ପାଇଁ ପାରୋଲ ଆବେଦନ କରିଥିବା ବେଳେ ଶନିବାର ମୁମ୍ବାଇ ପୋଲିସ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଛି।  ଅବୁ ସଲେମ ଏବେ  ନଭିମୁମ୍ବାଇର ତାଲୋଜା ଜେଲରେ ରହୁଛନ୍ତି। ମୁମ୍ବାଇ ବିସ୍ଫୋରଣ ମାମଲାରେ ଅବୁ ସଲେମଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ତେବେ ସେ କରିଥିବା ଆବେଦନ ପତ୍ରକୁ କୋନ୍‌କନ୍‌ ଡିଭିଜନାଲ କମିଶନରଙ୍କ ନିକଟକୁ ପଠାଯାଇଥିଲା। କାରଣ ଏଭଳି ଆବେଦନ ଉପରେ ନିଷ୍ପତ୍ତି ନେବାର ମୁମ୍ବାଇର କୋନ୍‌କନ୍‌ ଡିଭିଜନାଲ କମିଶନରଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ହେଲେ ସୁରକ୍ଷା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରି ଅଣ୍ଡରୱାଲ୍‌ଡ ଡନ୍‌ ଅବୁ ସଲେମଙ୍କ ପାରୋଲ ଆବେଦନକୁ କର୍ତ୍ତୃପକ୍ଷ ନାମଞ୍ଜରୁ କରିଦେଇଛନ୍ତି। ତେବେ ଏହି ଦରଖାସ୍ତ ଖାରଜ ପୂର୍ବରୁ ଡିଭିଜନାଲ କମିଶନର ଥାଣେ ପୋଲିସକୁ ରିପୋର୍ଟ ମାଗିଥିଲେ। କାରଣ ଥାଣେ ଅଞ୍ଚଳରେ ଅବୁ ସଲେମଙ୍କ ବାଷଭବନ ରହିଛି। ତେବେ ଥାଣେ ପୋଲିସ  ଏସମ୍ପର୍କରେ ନକରାତ୍ମକ ରିପୋର୍ଟ ଦେବା ପରେ ଡିଭିଜନାଲ କମିଶନର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ପୋଲିସ କହିବା ଅନୁଯାୟୀ, ୫୦ ବର୍ଷୀୟ ଅବୁ ସଲେମ ପୂର୍ବରୁ ୨ଥର ବିବାହ କରିସାରିଛନ୍ତି।

ସୂଚନା ଅନୁଯାୟୀ, ମୁମ୍ୱାଇ ସିରିଜ୍‌ ବୋମା ବିସ୍ପୋରଣ ମାମଲାରେ ଡନ୍ ଅବୁ ସଲେମଙ୍କୁ  ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।  ମାର୍ଚ୍ଚ ୧୨, ୧୯୯୩ ମସିହାରେ ମୁମ୍ୱାଇରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିଲା।ଏଥିରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ଏହି ଘଟଣା ଭିଆଇବା ପରେ ଅଭିଯୁକ୍ତମାନେ ପର୍ତ୍ତୁଗାଲ ଫେରାର ହୋଇଯାଥିଲେ। ତେବେ ୨୦୦୫ରେ ପ୍ରତ୍ୟାର୍ପଣ ମାଧ୍ୟମରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭାରତକୁ ଆଣାଯାଇଥିଲା। ପୂର୍ବରୁ ଏହି ମାମଲାରେ ଟାଡା କୋର୍ଟ ୧୦୦ ଜଣଙ୍କୁ ଅଭିଯୁକ୍ତ କରିଥିଲେ। ଏଥିରେ ୟାକୁବ ଅବଦୁଲ୍ ରଜାକ୍ ମେନନ୍ ସାମିଲ ଥିଲେ। ୩୦ ଜୁଲାଇ ୨୦୧୫ରେ ତାଙ୍କୁ ଫାଶି ଦିଆଯାଇଥିଲା। ଏହି ମାମଲାରେ ସଞ୍ଜୟ ଦତ୍ତଙ୍କ ପୂରା ସଜ୍ଜା କାଟିବା ପରେ ଫେବୃଆରୀ ୨୦୧୬ରେ ଜେଲ୍‌ରୁ ମୁକୁଳି ଥିଲେ।