ଆଖି ମାରି ହିଟ୍‌; ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି ଏହି ଯୁବତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ‘…ଏକ ଆଁଖ ମାରୁଁ ତୋ ରାସ୍ତା ରୁକ୍ ଯାଏ, ଦୁଜି ଆଁଖ ମାରୁଁ ଜମାନା ଝୁକ୍ ଯାଏ, ଦୋନୋ ଆଁଖେ ମାରୁଁ ତୋ ଛୋରା ପଟ୍ ଯାଏ’। ଏହି ଗୀତଟି ଆପଣମାନେ ଶୁଣିଥିବେ। ୧୯୮୪ରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ତୋଫା’ରେ ଏହି ଗୀତଟି ଅଛି। ଫିଲ୍ମର ହିରୋ ଜିତେନ୍ଦ୍ର ଓ ହିରୋଇନ୍ ଶ୍ରୀଦେବୀଙ୍କୁ ନେଇ ଏହି ଗୀତଟି ସୁଟିଂ ହୋଇଥିଲା। ଗୀତଟିରେ ନାଚିବା ବେଳେ ଉଭୟ ଜିତେନ୍ଦ୍ର ଓ ଶ୍ରୀଦେବୀ ଅନେକ ଥର ଆଖି ମାରିଛନ୍ତି। କିନ୍ତୁ ଗୀତଟି ଯେଉଁ ଅନୁସାରେ ହିଟ୍ ହୋଇଥିଲା ଆଖି ମରାଟି ସେମିତି ହଟ୍ ଲାଗି ନଥିଲା। ତେବେ ଉପରେ ଆପଣମାନେ ଯେଉଁ ‘ଆଖି ମରା’ ଫଟୋଟି ଦେଖୁଛନ୍ତି ତାହା ବେଶ୍ ଚର୍ଚ୍ଚିତ ହୋଇଛି। ଉକ୍ତ ଯୁବତୀଙ୍କ ମାତ୍ର କେଇ ସେକେଣ୍ଡର ଏହି ଆଖି ମରା ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ଯିଏ ଏହାକୁ ଦେଖିଛୁ ସିଏ ସେୟାର କରୁଛି।

ଭିଡିଓଟିରେ  ପ୍ରଥମେ ଜଣେ ଯୁବକ ଉକ୍ତ ଯୁବତୀଙ୍କ ଆଡ଼କୁ ଦେଖୁଛନ୍ତି ଓ ନିଜର ଆଇବ୍ରୋକୁ ବେଶ୍ ଷ୍ଟାଇଲ୍‌ରେ ନଚାଉଛି। ଯୁବତୀ ଜଣଙ୍କ ମଧ୍ୟ ପ୍ରଥମେ ତାଙ୍କ ଆଇବ୍ରୋକୁ ନଚାଉଛନ୍ତି ଓ ପରେ ଆଖି ମାରୁଛନ୍ତି। ଏହା ପରେ ଯୁବକ ଜଣଙ୍କ ଲାଜେଇ ଯାଇ ମୁହଁ ପୋତି ପକାଉଛନ୍ତି।

ଭିଡିଓଟି କେଉଁଠୁ ଆସିଲା?

ଏହି ଭିଡିଓଟିକୁ ମଲୟାଲମ ଫିଲ୍ମ ‘ଓରୁ ଅଦାର ଲଭ୍’ରୁ ନିଆଯାଇଛି। ଫିଲ୍ମଟି ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହେବ। ଫିଲ୍ମର ପ୍ରମୋସନ୍ ବେଳେ ଏହି ଭିଡିଓ ରିଲିଜ୍ କରାଯାଇଥିଲା। ଏବେ ଏହା ଭାଇରାଲ୍ ହୋଇଯାଇଛି ଓ ଇଣ୍ଟରନେଟ୍‌ରେ ଛାଇ ଯାଇଛି।

କିଏ ଏହି ଯୁବତୀ?

ଭିଡିଓଟି ଭାଇରାଲ ହେବା ପରେ ଅନେକ ଲୋକ ଉକ୍ତ ଯୁବତୀଙ୍କ ସଂପର୍କରେ ଜାଣିବା ପରେ ଗୁଗଲରେ ସର୍ଚ୍ଚ କରିଛନ୍ତି। ଏହି ଯୁବତୀଙ୍କ ନାଁ ପ୍ରିୟା ପ୍ରକାଶ ୱାରିୟର। ବୟସ ୧୮। କେରଳର ତ୍ରିଶୂରରେ ସେ ରହନ୍ତି। ଭିଡିଓଟି ଦେଖି ଲାଗୁଛି ଯେ ପ୍ରିୟା ସ୍କୁଲ୍‌ରେ ପଢ଼ୁଛନ୍ତି। କିନ୍ତୁ ସେ ସ୍କୁଲ୍‌ରେ ନୁହେଁ କଲେଜରେ ପଢ଼ୁଛନ୍ତି। ସେ ଏବେ ବିମଳା କଲେଜରେ ବି.କମ୍ କରୁଛନ୍ତି। ‘ଓରୁ ଅଦାର ଲଭ୍’ ହେଉଛି ତାଙ୍କ ଡେବ୍ୟୁ ଫିଲ୍ମ।

ପ୍ରିୟାଙ୍କ ପାଦ ମାଟିରେ ଲାଗୁନି!

ଭିଡିଓଟି ଭାଇରାଲ ହେବା ପରେ ଓ ତାଙ୍କୁ ପ୍ରଶଂସାର ସୁଅ ଛୁଟିବା ପରେ ସେ ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସମର୍ଥନ ଜାରି ରଖିବାକୁ ଅନୁରୋଧ କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More