ରହସ୍ୟମୟ ଜଗନ୍ନାଥ ମନ୍ଦିର: ଛାତରୁ ଖସୁଥିବା ଜଳବୁନ୍ଦା କହେ କେଉଁବର୍ଷ କେତେ ବୃଷ୍ଟିପାତ ହେବ

କାନପୁର: ଉତ୍ତରପ୍ରଦେଶର କାନପୁରଠାରୁ ୫୦ କିଲୋମିଟର ଦୂର ଭିତରଗାଓଁ ନିକଟସ୍ଥ ଏକ ଗାଁ ବେହଟା ବୁଜୁର୍ଗସ୍ଥିତ ଜଗନ୍ନାଥ ମନ୍ଦିରର ଅନେକ ରହସ୍ୟ ଆଜିର ବୈଜ୍ଞାନିକ ଯୁଗରେ ବି ଚର୍ଚ୍ଚାରେ। ଧାର୍ମିକ, ଐତିହାସିକ ଏବଂ ଭୌଗୋଳିକ କାରଣରୁ ଏହି ତୀର୍ଥସ୍ଥଳର ଅଦ୍ଭୁତ ରହସ୍ୟ ବାବଦରେ ଜାଣିବାକୁ ଚେଷ୍ଟା କରି ଗବେଷକ ମାନେ ମଧ୍ୟ ହାର ମାନିଛନ୍ତି। ମନ୍ଦିର କାନ୍ଥରୁ ଝରୁଥିବା ପାଣି ବୁନ୍ଦା ଏହି ମନ୍ଦିରର ସବୁଠୁ ବଡ଼ ରହସ୍ୟ।

ସମ୍ପୂର୍ଣ୍ଣ ଓଡ଼ିଶା ପରମ୍ପରାରେ ଅନୁପ୍ରାଣିତ ଏହି ମନ୍ଦିରରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ସହ ବଡ଼ ଭାଇ ବଳଭଦ୍ର ଏବଂ ଭଗ୍ନୀ ସୁଭଦ୍ରା ମଧ୍ୟ ଏହି ମନ୍ଦିରରେ କାହିଁ କେଉଁ ଅମଳରୁ ପୂଜା ପାଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଗନ୍ନାଥଙ୍କ ବିଗ୍ରହ ପଛକୁ ପଥରରେ ତିଆରି ଏକ ଦଶାବତାର ମୂର୍ତ୍ତି ପୂଜା ପାଉଥିବାବେଳେ ସେହି ଦଶାବତାର ମୂର୍ତ୍ତିରେ ବୁଦ୍ଧଙ୍କ ସ୍ଥାନରେ ଏଠାରେ ବଳଭଦ୍ର ଅଛନ୍ତି।

ପାଣିବୁନ୍ଦାରୁ ମୌସୁମୀ ଆକଳନ

ଜଗନ୍ନାଥ ମନ୍ଦିରର ଛାତରୁ ଖସୁଥିବା ପାଣିବୁନ୍ଦାର ରହସ୍ୟ ବଡ଼ ବିଚିତ୍ର। ଭୀଷଣ ଗରମ ସମୟରେ ହିଁ ପଥରରୁ ପାଣି ବୁନ୍ଦା ଖସିବା ଏବଂ ବର୍ଷା ଆସିବା ପରେ ବନ୍ଦ ହୋଇଯିବା ପଛର କାରଣ ଆଜିବି ରହସ୍ୟାବୃତହୋଇ ରହିଛି। ମୌସୁମୀ ଆସିବାର ୧୫ ଦିନ ପୂର୍ବରୁ ହିଁ ଏହି ମନ୍ଦିରର ଛାତରୁ ପାଣିବୁନ୍ଦା ଏହାର ଆଗମନର ସଂକେତ ଦେଇଥାଏ। ପୂରୁଣା ଲୋକଙ୍କ କହିବା ଅନୁଯାୟୀ ଯେତେ ବଡ଼ ବୁନ୍ଦା ପଡ଼ିବ ସେତେ ଅଧିକ ବର୍ଷା ହେବ। ପୂର୍ବରୁ ସ୍ଥାନୀୟ ଲୋକେ ଏଥିରୁ ବର୍ଷାର ଆକଳନ କରି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିଲେ। ଆଇଆଇଟିରେ ଏରୋସ୍ପେସ୍‌ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡିପି ମିଶ୍ରା କୁହନ୍ତି, ମନ୍ଦିରର ଡିଜାଇନ୍‌ ହିଁ ଏହା ପଛର ମୁଖ୍ୟ କାରଣ। ଏହାର ଡିଜାଇନ୍‌ ଏମିତି ଯେ ମୌସୁମୀ ପୂର୍ବରୁ ପ୍ରବଳ ଗରମ ଏବଂ ବାଷ୍ପ କାରଣରୁ ଏଥିରୁ ପାଣି ବାହାରିଆସେ।

ବୌଦ୍ଧସ୍ତୁପ ପରି ମନ୍ଦିର ନିର୍ମାଣ ଶୈଳୀ

ବାହାରୁ ବୌଦ୍ଧସ୍ତୁପ ପରି ଦିଶୁଥିଲେ ମଧ୍ୟ ଭିତରର ନିର୍ମାଣ ନାଗରା ଶୈଳୀର ଏବଂ ଭିତରେ ଜଗନ୍ନାଥଙ୍କ ପ୍ରତିମା ମୁଖ୍ୟ ଦେବତା। ତେଣୁ ବିଚାର କରାଯାଏ ଏହା ଏକାଦଶ ବା ଦ୍ୱାଦଶ ଶତାବ୍ଦୀରେ ନିର୍ମିତ। ମନ୍ଦିରର କିଛି ଅଂଶ ଧ୍ୱଂସ ପାଇଯାଇଥିଲେ ହେଁ ସ୍ଥାନୀୟ ଜମିଦାର ଏହାର ମରାମତି କରିଥିଲେ। ମନ୍ଦିରର କାନ୍ଥର ମୋଟେଇ ୧୪ ଫୁଟ ଏବଂ ଭିତର ଭାଗ ୭୦୦ ବର୍ଗ ଫୁଟର। ମନ୍ଦିରର ପୂଜାରୀ ଦିନେଶ ଶୁକ୍ଲାଙ୍କ କହିବା ଅନୁଯାୟୀ ତାଙ୍କ ପରିବାରର ୭ ପିଢ଼ି ଏହି ମନ୍ଦିରର ପୂଜାପାଠ କରିଆସୁଛନ୍ତି।

ନିର୍ମାଣ ସମୟକୁ ନେଇ ଦ୍ୱନ୍ଦ୍ୱ

ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଏହି ମନ୍ଦିରର ନିର୍ମାଣ କାଳକୁ ନେଇ ନାନା ଐତିହାସିକ ନାନା ମତ ଦିଅନ୍ତି। କେତେକ କହନ୍ତି ଏହା ଏକାଦଶ ଶତାବ୍ଦୀରେ ନିର୍ମିତ। କିନ୍ତୁ ଭିତରର ଚିତ୍ର କହେ ଏହା ଦ୍ୱିତୀୟରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ନିର୍ମିତ। ମନ୍ଦିରର ଦ୍ୱାରର କୀର୍ତ୍ତିରାଜି ପାଇଁ ଏହାକୁ କିଛି ଐତିହାସିକ ଖ୍ରୀଷ୍ଟପୂର୍ବ ୨୦୦୦ର ବୋଲି କଳନା କରୁଛନ୍ତି। ଐତିହାସିକ ଅଜୟ ତ୍ରିବେଦୀଙ୍କ କହିବା ଅନୁଯାୟୀ ଏହା ଗୁର୍ଜର-ପ୍ରତିହାରୀ ରାଜବଂଶର ଶାସନ ସମୟରେ ନିର୍ମିତ। ତେଣୁ ଏହା ଏକାଦଶରୁ ତ୍ରୟୋଦଶ ଶତାବ୍ଦୀ ସମୟରେ ଏହା ନିର୍ମିତ ହୋଇଥିବ ବୋଲି ସେ ଆକଳନ କରିଛନ୍ତି।