ରେଳ ମନ୍ତ୍ରୀଙ୍କୁ ଟ୍ୱିଟ୍‌ କରି ଚର୍ଚ୍ଚାରେ ଏହି ଝିଅ; କ’ଣ ଲେଖିଥିଲେ ପଢ଼ନ୍ତୁ

ପାଟନା: ବିହାରର ଜଣେ ଝିଅକୁ ନେଇ ଏବେ ସୋସିଆଲ୍ ମିଡିଆରେ ଭାରି ଚର୍ଚ୍ଚା ହେଉଛି। ତାଙ୍କ ନାଁ ରିଚା ସିଂହ ରାଜପୁତ। ସେ ଏତେ ଚର୍ଚ୍ଚାରେ ରହିବା ପଛରେ କାରଣ ହେଉଛି ତାଙ୍କ ଟ୍ୱିଟ୍‌। ସେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ଓ ରେଳ ମନ୍ତ୍ରାଳୟକୁ ଟ୍ୱିଟ୍ କରି ଟ୍ରେନ୍‌ରେ ‘ସାନିଟାରୀ ପ୍ୟାଡ୍‌’ର ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ। ସେ ଲେଖିଥିଲେ, ଚଳନ୍ତା ଟ୍ରେନ୍‌ରେ ଟିଟିଇ ପାଖରେ ‘ସାନିଟାରୀ ପ୍ୟାଡ୍‌’ ମହଜୁଦ ରହିବା ଉଚିତ। ତା’ହେଲେ କେବେ ବି କୌଣସି ଯୁବତୀ ଅବା ମହିଳାଙ୍କୁ ଲଜ୍ଜିତ ହେବାକୁ ପଡ଼ିବ। ହଠାତ୍ ‘ସାନିଟାରୀ ପ୍ୟାଡ୍’ ଦରକାର ପଡ଼ିଲେ ସଙ୍ଗେ ସଙ୍ଗେ ମିଳିପାରିବ।

ରିଚା ଏମିତି ଟ୍ୱିଟ୍‌ କରିବା ପଛରେ ରହିଥିଲା ଗତମାସରେ ଟ୍ରେନ୍‌ରେ ଯାତ୍ରା କରିବେଳେ ତାଙ୍କର ଅନୁଭୂତି। ଏକ ୱେବ୍‌ସାଇଟ୍‌କୁ ସେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଗତମାସରେ ସେ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ସେତେବେଳେ ସେ ତାଙ୍କର ପିରିୟଡ଼ସ୍‌ ଆରମ୍ଭ ହୋଇଥିବା ନେଇ ଅନୁଭବ କଲେ। ଅବଶ୍ୟ ଯାଞ୍ଚ କଲା ପରେ ପିରିୟଡସ୍ ଆରମ୍ଭ ହୋଇନାହିଁ ବୋଲି ଜାଣିବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଲା। ତେବେ ଏ କଥାଟି ତାଙ୍କ ମନକୁ ବେଶ୍ ଆନ୍ଦୋଳିତ କଲା। ସେ ଭାବିଲେ, ଯଦି ଚଳନ୍ତା ଟ୍ରେନ୍‌ରେ ତାଙ୍କର ପିରିୟଡସ୍‌ ଆରମ୍ଭ ହୋଇଯାଇଥାଆନ୍ତା, ତା’ହେଲେ କ’ଣ ହୋଇଥାଆନ୍ତା? କାରଣ ତାଙ୍କ ପାଖରେ ପ୍ୟାଡ୍ ନଥିଲା। ଚଳନ୍ତା ଟ୍ରେନ୍‌ରେ ସେ କେଉଁଠି ପ୍ୟାଡ୍‌ ଯୋଗାଡ଼ କରିଥାଆନ୍ତେ? ତେଣୁ ସେ ଏକଥା ରେଳବାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ଜରୁରୀ ବୋଲି ଭାବି ଟ୍ୱିଟ୍ କରିଥିଲେ।

କିଏ ଏହି ରିଚା?

ରିଚା ସହରସାର ସହସୋଲ ଗାଁର ବାସିନ୍ଦା। ତାଙ୍କ ମା’ ନୂତନ ସିଂହ ଓ ବାପା ରାକେଶ କୁମାର ସିଂହ ଉଭୟେ ଆଡ୍‌ଭୋକେଟ୍‌। ସେ ଇଂରାଜୀ ସାହିତ୍ୟରେ ଏମ୍‌ଏ କରିଛନ୍ତି। ସେ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟରେ ଡିପ୍ଲୋମା କରିଛନ୍ତି। ୨୦୧୫ରେ ସେ ବିହାରରେ ସୁନ୍ଦରୀ ପ୍ରତିଯୋଗିତା ଜିତିଥିଲେ।

‘ଦ କେଦାର ହାଉସ୍’ ନାଁରେ ତାଙ୍କର ଏକ ଫାର୍ମ ଅଛି। ଏହା ମାଧ୍ୟମରେ ସେ ହ୍ୟାଣ୍ଡିକ୍ରାଫ୍ଟସ୍‌ ଓ ପେଣ୍ଟିଂ ବ୍ୟବସାୟ କରୁଛନ୍ତି। ଏହି ବ୍ୟବସାୟରୁ ମିଳୁଥିବା ଆୟରୁ ସେ ସାନିଟାରୀ ପ୍ୟାଡ୍ କିଣି ମହିଳା ଓ ଯୁବତୀଙ୍କୁ ବାଣ୍ଟନ୍ତି।