ମାତ୍ର ୧ ଟଙ୍କାରେ ବିଶ୍ୱ ବୁଲି ଆସିବାକୁ ଚାହୁଁଛନ୍ତି କି ? କନିଷ୍କ ଲଗାଇ ଦେବେ ଆପଣଙ୍କ ସ୍ୱପ୍ନରେ ଡେଣା

ଦିଲ୍ଲୀ-ବର୍ତ୍ତମାନ ରାନସମୱେର ୱାନାକ୍ରାଏ ଭାଇରସ ଆତଙ୍କର କବଳରେ ସମଗ୍ର ବିଶ୍ୱ। ଏହି ଭାଇରସ ମାଧ୍ୟମରେ କମ୍ପ୍ୟୁଟରକୁ ହ୍ୟାକ୍ କରି ବିଭିନ୍ନ ସଂସ୍ଥା ଠାରୁ ଅସଦ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି କିଛି ହ୍ୟାକର୍। କିନ୍ତୁ ଆମେ ସମସ୍ତ ହ୍ୟାକରଙ୍କୁ ଖରାପ କହି ପାରିବା ନାହିଁ। କିଛି ହ୍ୟାକର୍ ହ୍ୟାକ୍ କରି ଦଣ୍ତିତ ହେଉଥିବା ବେଳେ କିଛି ସମ୍ମାନିତ ହୋଇଛନ୍ତି। କାରଣ ସେମାନଙ୍କ ହ୍ୟାକ୍ କରିବା ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥାଏ। ବରଂ ଆମ ଇଣ୍ଟରନେଟର  ତ୍ୱରିତ ବ୍ୟବସ୍ଥାର ତୃଟିକୁ ସଂଶୋଧନ ଉଦ୍ଦେଶ୍ୟରେ ସେମାନେ ଏପରି କରିଥାଆନ୍ତି। ସେହିଭଳି ଜଣେ ଇଂଜିନିୟରିଂ ଛାତ୍ର ହେଉଛନ୍ତି ଭାରତର ୨୦ ବର୍ଷିୟ କନିଷ୍କ ସଜନାନି। ଯିଏ କି ଜଣେ ପ୍ରଫେସନାଲ ହ୍ୟାକର ହୋଇ ନଥିଲେ ମଧ୍ୟ  ହ୍ୟାକ୍ କରି ବିଭିନ୍ନ ସଂସ୍ଥା ଠାରୁ  ସମ୍ମାନିତ ହୋଇଛନ୍ତି।

ଦେଶର ସରକାରୀ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆର ଟିକେଟ୍ ବୁକିଂ ସଂସ୍ଥାକୁ ସେ ପ୍ରଥମେ ହ୍ୟାକ୍ କରିଥିଲେ।  ମାତ୍ର ଏକ ଟଙ୍କାରେ ଟିକେଟ ବୁକିଂ କରି ସେ ସାରା ବିଶ୍ୱ ଭ୍ରମଣ କରି ପାରିଥାଆନ୍ତେ। କିନ୍ତୁ ସେ ଏପରି କଲେ ନାହିଁ , ଏୟାର ଇଣ୍ଡିଆ  ଟିକେଟ ବୁକିଂ ବ୍ୟବସ୍ଥାରେ ଥିବା ତୃଟି ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇଥିଲେ। ତେବେ ଏହାର ଏକ ସପ୍ତାହ ପରେ ସମ୍ପୃକ୍ତ ମ୍ୟାନେଜର ତାଙ୍କୁ ଫୋନ୍ କରି ବ୍ୟବସ୍ଥାରେ ଥିବା ତୃଟିକୁ ପ୍ରମାଣିତ କରିବାକୁ କହିଥିଲେ।  କନିଷ୍କ ମଧ୍ୟ ଏହାକୁ ପ୍ରମାଣିତ କରିଥିଲେ। ଏଥିରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଖୁସି ହୋଇ ତାଙ୍କୁ ଚାକିରି ଅଫର କରିଥିଲେ ମଧ୍ୟ କନିଷ୍କ ଏହାକୁ ଗ୍ରହଣ କରିନଥିଲେ। ସେହିଭଳି ସେ ସ୍ପାଇସଜେଟ୍ ର  ଆପ୍ ସହାଯ୍ୟରେ ୪୦୨୮ ଟଙ୍କା ମୂଲ୍ୟର ଟିକେଟକୁ ମାତ୍ର ୪ ଟଙ୍କାରେ ବୁକିଂ କରିଥିଲେ। ପରେ ସେଠାରୁ ମଧ୍ୟ ତାଙ୍କୁ ଚାକିରି ପାଇଁ ଅଫର୍ ମିଳିଥିଲା। ପରେ ପରେ ସେ ଏପରି ଅନେକ ଆପ୍ ବ୍ୟବହାର କରି ହୋଟେଲ, ଟ୍ରେନ୍, ରେଷ୍ଟୁରାଣ୍ଟ, ଖେଳ ଟିକେଟ ଆଦି ବୁକିଂ କରି ପାରୁଛନ୍ତି। ସେ ତୃଟି ସବୁ କମ୍ପାନୀ ମାଲିକଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି। ସେଥିପାଇଁ କମ୍ପାନୀମାନେ ତାଙ୍କୁ ବାରମ୍ବାର ସମ୍ମାନିତ କରିଛନ୍ତି।