ତାମିଲନାଡ଼ୁରେ ଲିଗାସି ଲଢ଼େଇ: ଷ୍ଟାଲିନ ଓ ପଲାନିସ୍ୱାମୀଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ତାମିଲନାଡୁରେ ପୋଷ୍ଟରରେ ରହିବେ ଦିବଂଗତ ଭେଟେରାନ। ରାଜ୍ୟରେ ଶାସକ ଦଳ ଏଆଇଏଡିଏମକେର ଜୟଲଳିତା ଏବଂ ବିରୋଧୀ ଡିଏମକେର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ଏବେ ପରଲୋକରେ। ବିଧାନସଭା ନିର୍ବାଚନ ବେଳେ ତାମିଲନାଡୁର ଦୁଇ ପ୍ରମୁଖ ଦଳ ଏଆଇଏଡିଏମକେର ଭୋଟ ବ୍ୟାଙ୍କ ରହିଥିଲା ଆମ୍ମା (ଜୟଲଳିତା) ଓ ଡିଏମକେର କଲାଇନାର (କରୁଣାନିଧି)ଙ୍କ ନାଁରେ। ଯଦିଓ ଏବେ ଏମାନେ ପ୍ରଚାର ପ୍ରସାର କରିପାରିବେ ନାହିଁ କିନ୍ତୁ ତାଙ୍କର ଚିନ୍ତାଧାରା ଓ ଆଭିମୁଖ୍ୟକୁ ନେଇ ଚଳିତ ସାଧାରଣ ନିର୍ବାଚନ ଲଢ଼ିବ ଡିଏମକେ ଓ ଏଆଇଡିଏମକେ।
 
ରିପବ୍ଲିକ ଟିଭି ଓ ସି- ଭୋଟର ପକ୍ଷରୁ ଜାନୁଆରୀରେ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ମୋଟ ୩୯ଟି ଲୋକସଭା ଆସନରୁ ଡିଏମକେ ୩୦ଟି ଆସନ ଓ କଂଗ୍ରେସ ୯ଟି ଆସନ ଜିତିବ ବୋଲି କୁହାଯାଇଥିଲା। ସେହିପରି ଏଆଇଏଡିଏମକେ ଏଥର କୌଣସି ଆସନ ଜିତି ପାରିବ ନାହିଁ ବୋଲି କୁହାଯାଇଥିଲା। ତେବେ ଏହି ସର୍ଭେ ସମୟରେ ଡିଏମକେ-କଂଗ୍ରେସ ମେଣ୍ଟ ଏକ ପ୍ରକାର ସ୍ପଷ୍ଟ ହୋଇସାରିଥିଲା, ହେଲେ ଏଆଇଡିଏମକେ-ବିଜେପି ମେଣ୍ଟ ସ୍ଥିର ହୋଇନଥିଲା। ତେଣୁ ସାଧାରଣ ନିର୍ବାଚନ ବେଳେ କିଛିଟା ଆସନ ଏଆଇଡିଏମକେ ସପକ୍ଷରେ ଯାଇପାରେ ବୋଲି ସମ୍ଭାବନା ରହିଛି। ଜୟଲଳିତାଙ୍କ ଉତ୍ତରାଧିକାରୀ ଭାବେ ଏଆଇଡିଏମକେ ପଲ୍ଲାନିସ୍ୱାମୀ ଓ ପନ୍ନିରସେଲଭମଙ୍କୁ ପେଶ୍ କରୁଛି। ସେହିପରି କରୁଣାନିଧିଙ୍କ ଉତ୍ତରାଧିକାରୀ ଭାବେ ଡିଏମକେ ତାଙ୍କ ପୁଅ ଷ୍ଟାଲିନ ଓ ଝିଅ କାନ୍ନିମୋଝୀଙ୍କୁ ପ୍ରୋଜେକ୍ଚ କରିଛି।
 
ଦକ୍ଷିଣ ରାଜନୀତିରେ ଡିଏମକେ ୟୁପିଏର ସବୁଠୁ ବଡ଼ ସହଯୋଗୀ। ମନମୋହନ ସିଂହ ସରକାରରେ ଡିଏମକେର ସାଂସଦ ଭଲ ବିଭାଗରେ ମନ୍ତ୍ରୀ ପଦବୀ ପାଇଥିଲେ। ହେଲେ ଦୁର୍ନୀତି ଅଭିଯୋଗ ଆସିବା ପରେ ୨୦୧୪ରେ ଡିଏମକେକୁ ଲୋକେ ଏକ ପ୍ରକାର ଦୂରେଇ ଦେଇଥିଲେ। ତେବେ ଡିଏମକେର ଏପରି ସ୍ଥିତି ପଛର କାରଣ ଜୟଲଳିତାଙ୍କ ନାଁରେ ଥିବା ବିଶାଳ ଭୋଟ ଵ୍ୟାଙ୍କ ବୋଲି ଆକଳନ କରାଯାଇ ଥିଲା। ଏବେ ଏଆଇଏଡିଏମକେ ପାଇଁ ବଡ଼ ସାହାରା ହେବ ପ୍ରଧାନମନ୍ତ୍ରୀଙ୍କ ଇମେଜ। କାରଣ ଜୟଲଳିତା ୨୦୧୪ରେ ମୋଦିଙ୍କୁ ବିରୋଧ କରୁନଥିଲେ। କିନ୍ତୁ ଏକାକୀ ନିଜ ରାଜ୍ୟରେ ନିର୍ବାଚନ ଲଢ଼ି ନିଜର ପ୍ରଭାବ ଦେଖାଇବାକୁ ଚାହୁଁଥିଲେ। ହେଲେ ବହୁମତରେ ଜିତିବା ପରେ ମୋଦି ସରକାର ଏଆଇଏଡିଏମକେ ସାଂସଦଙ୍କୁ ରାଜ୍ୟସଭାର ସଭାପତି ମଣ୍ଡଳୀରେ ସ୍ଥାନ   ଦେଇଥିଲେ ।
 
ହେଲେ ଏବେ ଜୟଲଳିତାଙ୍କ ଅବର୍ତ୍ତମାନରେ ଦଳ ଗୋଷ୍ଠୀ କନ୍ଦଳ ଯୋଗୁ ଗୋଳିଆ ହୋଇଥିବା ଦେଖିବାକୁ ମିଳୁଛି। ଅବଶ୍ୟ କିଛି ଦିନ ହେବ ସରକାର ପ୍ୟାଚ ପକାଇ ଚାଲୁଛି କିନ୍ତୁ ଏହି ପ୍ୟାଚ ପଛରେ ପ୍ରଧାନମନ୍ତ୍ରୀଙ୍କର ସହଯୋଗ ଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଜୟଲଳିତାଙ୍କ ସହଯୋଗୀ ଶଶିକଳା ମୁଖ୍ୟମନ୍ତ୍ରୀ ହେବା ପାଇଁ ଚର୍ଚ୍ଚା ଆରମ୍ଭ ହେବା ଏହାପରେ ଦୁର୍ନୀତି ଅଭିଯୋଗରେ ପୁତୁରା ଦିନାକରନଙ୍କୁ ଏଆଇଏଡିଏମକେର ସର୍ବେସର୍ବା କରାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ପଲାନିସ୍ୱାମୀ ଓ ପନ୍ନିରସେଲଭମ ମିଶି ଯିବା ପରେ ଶଶିକଳା ଓ ଦିନିକରନ ଦଳରୁ ବିଦା ହୋଇଥିଲେ। ଯାହାର ଫାଇଦା ଡିଏମକେକୁ ମିଳିଥିଲା ଏବଂ ଏଇଠୁ ଆରମ୍ଭ ହୋଇଥିଲା ଡିଏମକେର ଅଚ୍ଛେ ଦିନ। ଏମିତିକି ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆସନ ଆର.କେ.ନଗରରେ ଟିଟିଭି ଦିନାକରନ ଜିତିଥିଲେ। ଏହା ଏଆଇଡିଏମକେ ଗୋଷ୍ଠୀକୁ ଜବରଦସ୍ତ ଝଟକା ଦେଇଥିଲା। ଅର୍ଥାତ୍ ଦଳରେ ଗୋଷ୍ଠୀ କନ୍ଦଳ ଓ ଆମ୍ମାଙ୍କ ଅନୁପସ୍ଥିତି ଲୋକଙ୍କ ମୁଡ ବଦଳାଇଥିବା ଆର.କେ ନଗର ଉପନିର୍ବାଚନ ଫଳାଫଳରୁ ଜଣାପଡ଼ିଥିଲା।
 
ହେଲେ ତାମିଲନାଡୁରେ ଜୟଲଳିତା ଓ କରୁଣାନିଧିଙ୍କ ଲିଗାସି ମଧ୍ୟରେ ଲଢ଼େଇ ସାଧାରଣ ନିର୍ବାଚନର ଫଳାଫଳକୁ କିଭଳି ପ୍ରଭାବିତ କରିବ, ତାହା ଦେଖିବାକୁ ବାକି ରହିଲା।