ଅପରାଧିକ ଘଟଣାକୁ ଧର୍ମ ସହ ଯୋଡ଼ାନଯାଉ: କେନ୍ଦ୍ରମନ୍ତ୍ରୀ

କୋଲକାତା: ଦେଶରେ ଦଳିତ ଏବଂ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ୍‌ ନକ୍‌ଭି। ସେ କହିଛନ୍ତି ୨୦୧୯ ଲୋକସଭା ନିର୍ବାଚନ ପରାଜୟର ଝଟ୍‌କାରୁ ଏଯାଏ ମୁକୁଳି ପାରିନଥିବା କିଛି ଲୋକ ‘ଅପରାଧିକ ଘଟଣା’ ସବୁକୁ ଧର୍ମ ସହିତ ଯୋଡ଼ିବାକୁ ପ୍ରୟାସ କରୁଛନ୍ତି। କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଲିଞ୍ଚିଂ ଘଟଣାସବୁ ବାବଦରେ ଚିଠି ଲେଖିଥିବା ନେଇ ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ ନକ୍‌ଭି ଏଭଳି ମତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ବିଭିନ୍ନ କ୍ଷେତ୍ରର ୪୯ ଜଣ ସେଲିବ୍ରେଟି ମୋଦିଙ୍କ ନିକଟକୁ ଚିଠି ଲେଖି କହିଥିଲେ, ମୁସଲିମ୍‌, ଦଳିତ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଲିଞ୍ଚିଂ ତୁରନ୍ତ ବନ୍ଦ ହେବା ଦରକାର। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ୟାମ୍‌ ବେନେଗଲ୍‌ ଏବଂ ଅପର୍ଣ୍ଣା ସେନ୍‌ ଆଦି ବ୍ୟକ୍ତି ମଧ୍ୟ ଥିଲେ।

ତେବେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ନକ୍‌ଭି କହିଛନ୍ତି, ଆମେ ୨୦୧୪ ପରେ ମଧ୍ୟ ଆୱାର୍ଡ ୱାପ୍‌ସି ଦେଖିଥିଲୁ, ଏବେ ସେହିଭଳି କିଛି ହିଁ ଘଟୁଛି।