ଗାଈ ଚୋର ସନ୍ଦେହରେ ୩ ଜଣଙ୍କୁ ପିଟି ମାରିଦେଲେ

ପାଟନା: ତଥାକଥିତ ଗୋ-ରକ୍ଷକ ବାହିନୀର ଗୁଣ୍ଡାଗର୍ଦ୍ଦି ପୁଣିଥରେ ସାମ୍ନାକୁ ଆସିଛି। ବିହାରର ସାରନ ଜିଲ୍ଲାରେ ଏହି ଗୋ-ରକ୍ଷକ ଗୁଣ୍ଡା ବାହିନୀ ଗାଈ ଚୋରି ସନ୍ଦେହରେ ୩ ଜଣ ଯୁବକଙ୍କୁ ପିଟିପିଟି ମାରିଦେଇଛନ୍ତି।

ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଗୁରୁବାର ମଧ୍ୟରାତ୍ରରେ ବିନିୟାପୁର ଥାନା ଅନ୍ତର୍ଗତ ନନ୍ଦଲାଲ ଟୋଲା ଅଞ୍ଚଳରେ ଏଭଳି ଭୟଙ୍କର ଘଟଣା ଘଟିଛି। ୪ ଜଣ ଯୁବକ ଏକ ପିକଅପ୍‌ ଭ୍ୟାନ୍‌ରେ ବୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ। ଗାଁ ଲୋକମାନେ ସେମାନଙ୍କୁ ରହିବାକୁ କହିବାରୁ ସମସ୍ତେ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ।

ସେମାନଙ୍କ ପିକଅପ ଭ୍ୟାନରେ ୩ଟି ମଇଁଷି ଓ ୩ଟି ଛେଳି ରହିଥିଲା। ଲୋକମାନେ ସେମାନଙ୍କୁ କାବୁ କରିବା ପରେ ସେମାନେ ଗାଈ ଚୋର ହୋଇଥିବା ସନ୍ଦେହ କରିଥିଲେ।

ଏହାପରେ ବାଉଁଶ, କାଠ ଫାଳିଆ ଓ ଲୁହା ରଡ୍‌ ଦ୍ୱାରା ସ୍ଥାନୀୟ ଲୋକମାନେ ସମସ୍ତଙ୍କୁ ମନଇଚ୍ଛା ମାଡ଼ ମାରିଥିଲେ। ଖବର ପାଇଁ ପୁଲିସ୍‌ ସମସ୍ତଙ୍କୁ ଉଦ୍ଧାର କରି ବନିୟାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଆହତ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକମାନେ ହେଲେ ରାନୁ ନାଟ, ବିଦେଶ ନାଟ ଓ ନୌସାଦ କୁରେଶୀ। ପୁଲିସ୍‌ କହିଛି, ଯୁବକମାନେ ବ୍ୟବହାର କରୁଥିବା ପିକ୍‌ଅପ ଭ୍ୟାନ୍‌ଟିକୁ ଏକାଧିକ ଅପରାଧିକ ମାମଲାରେ ବ୍ୟବହାର କରାଯାଇଥିଲା। ଏହି ଭ୍ୟାନ୍‌ଟି ସନ୍ତୋଷ କୁମାରଙ୍କ ନାଁରେ ପଞ୍ଜିକୃତ ହୋଇଛି।

ଏବେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଲୋକେ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଏହି ଘଟଣା ପରେ ଗାଁରେ ମଧ୍ୟ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଅତିରକ୍ତ ସୁରକ୍ଷାକର୍ମୀମାନଙ୍କୁ ଗାଁରେ ମୁତୟନ କରିଛି।