ନିର୍ଦ୍ଦୟ ହୃଦୟ, ମୃତ ମାନବିକତା!; ଦଣ୍ଡ ନାଁରେ ଦୁଇ ନାବାଳକକୁ ମିଳିଲା କ’ଣ? ଜାଣିଲେ ଭିଜି ଯିବ ଆଖି…  

ଉଲ୍ଲାସନଗର: ଆଠ ଓ ନଅ ବର୍ଷର ଦୁଇ ଜଣ ନାବାଳକ। ଘର ପାଖରେ ଖେଳୁ ଥିଲେ। ଏତିକି ବେଳେ ନଜର ପଡ଼ିଲା ଘର ପାଖ ମିଠା ଦୋକାନ ଉପରେ। ମିଠା ଦେଖି ଲୋଭ ହେଲା। ଖାଇବାକୁ ଇଚ୍ଛା ହେଲା। ହେଲେ ପାଖରେ ନ ଥିଲା ପଇସା। ତେଣୁ ସେମାନେ ମିଠା ଦୋକାନକୁ ଗଲେ ଓ ଗୋଟିଏ ପ୍ୟାକେଟ୍ ମିଠା ଧରି ଦୌଡ଼ିବାକୁ ଲାଗିଲେ। କିନ୍ତୁ ବେଶୀ ବାଟ ଯାଇ ପାରିଲେ ନାହିଁ। ସେମାନଙ୍କୁ ଧରି ପକାଇଲେ ଦୋକାନୀ ଓ ତାଙ୍କର ଦୁଇ ପୁଅ। ଧରିବା ପରେ ଏ ଭୁଲ୍ ପାଇଁ ଦୁଇ ନାବଳକଙ୍କୁ ଦୁଇ ଚଟକଣା ମାରି ସେମାନଙ୍କ ବାପାମା’ଙ୍କ ପାଖକୁ ନେଇଥିଲେ କଥାଟା ଅଲଗା ହୋଇଥାଆନ୍ତା। କିନ୍ତୁ ସେମାନେ ସେମିତି କଲେନି। ଦୁଇ ନାବାଳକଙ୍କୁ ନିଜେ ଶିକ୍ଷା ଦେବାକୁ ଚାହିଁଲେ। ତେଣୁ ପ୍ରଥମେ ସେମାନେ ଛୁଆ ଦୁଇଟିକୁ ଘୋଷାରି ଘୋଷାରି ଦୋକାନ ନିକଟକୁ ଆଣିଲେ। ସେମାନଙ୍କ ମୁଣ୍ଡର ଗୋଟିଏ ପାଖ ଚୁଟି ପୂରା କାଟି ଲଣ୍ଡା କରି ଦେଲେ। ଚପଲର ମାଳ କରି ପିନ୍ଧାଇ ଦେଲେ। ଏତିକିରେ ମନ ସନ୍ତୁଷ୍ଟ ହେଲାନି ଯେ ଛୁଆ ଦୁଇଟିକୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ। ମୋବାଇଲ୍‌ରେ ଏହାର ଭିଡିଓ ରେକର୍ଡିଂ ମଧ୍ୟ କଲେ। ତା’ସହିତ ଦୋକାନ ମାଲିକଙ୍କ ଜଣେ ପୁଅ ସେମାନଙ୍କୁ ମାଡ଼ ମାରିଲେ।

ସେତେବେଳେ ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ। କିନ୍ତୁ କେହି ସେମାନଙ୍କୁ ଅଟକାଇ ନ ଥିଲେ। ନିର୍ଯାତିତ ହୋଇ ଛୁଆ ଦୁଇଟି ନିଜ ନିଜ ଘରକୁ ଫେରି ଯାଇଥିଲେ। ଜଣେ ଛୁଆର ମା’ ଯିଏ କି ଘରୋଇ ସହାୟିକା ଭାବେ କାମ କରନ୍ତି ସେ ସନ୍ଧ୍ୟାରେ ଫେରିବା ପରେ ସବୁ କଥା ଜାଣିଲେ। ଏହା ପରେ ସେ ଥାନାରେ ଯାଇ ଅଭିଯୋଗ କଲେ। ଅଭିଯୋଗ ପାଇବା ପରେ ପୋଲିସ୍ ଉକ୍ତ ବାପ-ପୁଅ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ନିର୍ଯାତନା, ମାନହାନି, ଆଘାତ ଦେବା ଭଳି ମାମଲା ରୁଜୁ ହୋଇଛି। ଏହା ସହିତ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ମଧ୍ୟ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଏହି ଘଟଣାଟି ଗତ ଶନିବାର ମୁମ୍ବାଇ ନିକଟସ୍ଥ ଉଲ୍ଲାସନଗରର ପ୍ରେମ ନଗରର ଅଞ୍ଚଳରେ ଘଟିଛି। ଗିରଫ ତିନି ବ୍ୟକ୍ତି ହେଲେ ମେହମୁଦ ପଠାନ୍ (୬୨) ଓ ତାଙ୍କ ଦୁଇ ପୁଅ- ଇର୍‌ଫାନ୍ (୨୬) ଏବଂ ସଲିମ (୨୨)।

ସୌଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ