ରାହୁଲ ଗାନ୍ଧିଙ୍କ ବିରୋଧର ପ୍ରାର୍ଥୀ ହୋଇଥିବା ଏନ୍‌ଡିଏ ନେତା ଗିରଫ

ୱାୟନାଡ: ଚଳିତ ଲୋକସଭା ନିର୍ବାଚନ ବେଳେ କେରଳର ୱାୟନାଡରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପ୍ରାର୍ଥୀ ହୋଇଥିବା ତୁଶାର ଭେଲ୍ଲାପାଲ୍ଲୀ ଏକ ଚେକ ବାଉନ୍ସ ମାମଲାରେ ଗିରଫ ହୋଇଛନ୍ତି।

ତାଙ୍କୁ ୟୁଏଇର ଅଜମାନଠାରୁ ଗିରଫ କରାଯାଇଛି। ତୁଶାର ଭେଲ୍ଲାପାଲ୍ଲୀ ହେଉଛନ୍ତି ଭାରତ ଧର୍ମ ଜନ ସେନା(ବିଡିଜେଏସ୍)ର ମୁଖ୍ୟ। କେରଳରେ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଥିବାରୁ ବିଜେପି ତୁଶାରଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା।

୧୦ ବର୍ଷ ତଳେ ତୁଶାର ୧୯ କୋଟି ଟଙ୍କା ଚେକ୍‌ ତାଙ୍କ ବ୍ୟବସାୟିକ ପାର୍ଟନର ନସିଲ ଅବଦୁଲ୍ଲାଙ୍କୁ ଦେଇଥିଲେ। ହେଲେ ଏହା ବାଉନ୍ସ ହୋଇଯାଇଥିଲା। ଏହାପରେ ଅବଦୁଲ୍ଲା ତାଙ୍କୁ ୟୁଏଇ ଡାକିଥିଲେ।

ଏହାପୂର୍ବରୁ କିନ୍ତୁ ଅବଦୁଲ୍ଲା ଯୋଜନା ମୁତାବକ ଅଜମାନ ପୁଲିସ୍‌ ଷ୍ଟେସନରେ ତୁଶାରଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରି ସାରିଥିଲେ। ତୁଶାର ଅଜମାନରେ ପହଞ୍ଚିବା କ୍ଷଣି ତାଙ୍କୁ ପୁଲିସ୍‌ ଗିରଫ କରିଛି।