ଏଣିକି ବସ୍ ଭଳି ଚଳନ୍ତା ଟ୍ରେନ୍‌ରେ ଯାତ୍ରୀଙ୍କୁ ମିଳିବ ଟିକେଟ୍‌, କିନ୍ତୁ ଏହି ସର୍ତ୍ତରେ

ନୂଆଦିଲ୍ଲୀ: ଯଦି ରେଲୱେ କାଉଣ୍ଟରରେ ଟିକେଟ କରିପାରୁ ନାହାନ୍ତି ତେବେ ଆପଣଙ୍କ ପାଇଁ ରହିଛି ଆଶ୍ୱସ୍ତ ହେଲା ଭଳି ଖବରଟିଏ। ତାହା ହେଉଛି ଆପଣ ବସ୍‌ ଭଳି ଟ୍ରେନ୍‌ରେ ଯାତ୍ରା କରିପାରିବେ। ବସ୍‌ରେ ଯେମିତି କଣ୍ଡକ୍ଟର ଟିକେଟ ଆଦାୟ କରିଥାନ୍ତି ଠିକ୍‌ ସେମିତି ଆପଣଙ୍କୁ ଟିକେଟ ଦେବେ। ନୂଆ ବର୍ଷ ଅବସରରେ ଯାତ୍ରୀଙ୍କ ପାଇଁ ଏମିତି କିଛି ସୁବିଧା ନେଇ ଆସୁଛି ଭାରତୀୟ ରେଳବାଇ।

ଏହି ନୂଆ ନିୟମ ଜାନୁଆରୀ ୧୫ରୁ ଲାଗୁ  ହୋଇପାରେ। କିନ୍ତୁ ଟିକେଟ ପାଇଁ ଆପଣଙ୍କୁ  ଅନଲାଇନରେ କାରବାର କରିବାକୁ ପଡ଼ିବ। ଅର୍ଥାତ ଟିକେଟ ପାଇଁ ମୋବାଇଲରେ କାରବାର କରିପାରିବେ।  ଅଥବା ଟାବଲେଟ୍ ଓ ପିଓଏସ୍ ମେସିନ୍ ମାଧ୍ୟମରେ ପଇସା ଦେଇପାରିବେ। ଏହି ଟାବଲେଟ୍ ଓ ପିଓଏସ୍ ମେସିନ୍ ଟିଟିଇଙ୍କୁ ଦିଆଯିବ। କିନ୍ତୁ ବିନା ଟିକେଟ ଯାତ୍ରା ପାଇଁ ପ୍ରଥମେ ଫାଇନ୍‌ ନେବ ରେଲୱେ। ଅର୍ଥାତ ବିନା ଟିକେଟ ଯାତ୍ରା ପାଇଁ ପ୍ରଥମେ ଥିବା ଜରିମାନା ନିୟମ ହଟିବ ନାହିଁ। ପରେ ଗନ୍ତବ୍ୟସ୍ଥଳ ପାଇଁ ସଂରକ୍ଷିତ ଟିକେଟ ଦେବେ ଟିଟିଇ। ରେଳବାଇର ଏହି ପ୍ରସ୍ତାବକୁ ନିକଟରେ ମଞ୍ଜୁରି ମିଳିଛି ।