ଭାରତରେ ବାଘ ସଂଖ୍ୟା ୨୯୬୭: ରିପୋର୍ଟ

ନୂଆଦିଲ୍ଲୀ: ମୋଦି ସରକାର କ୍ଷମତାକୁ ଫେରିବା ପରେ ଦେଶର ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଯେଉଁ ଲକ୍ଷ୍ୟ ରଖିଥିଲେ, ତା’ହା ସଫଳ ହୋଇଛି। ଆଜି ଅନ୍ତର୍ଜାତୀୟ ବାଘ ଦିବସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୩୦୦୦ ମହାବଳ ବାଘ ଥିବା ଜଣାପଡ଼ିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟ ବାଘ ଗଣନା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ ୨୯୬୭ଟି ମହାବଳ ବାଘ ରହିଛନ୍ତି। ୨୦୧୪ରେ ଏହି ସଂଖ୍ୟା ୨୨୨୬ଟି ଥିଲା। ସେହିପରି ୨୦୧୦ରେ ବାଘଙ୍କ ସଂଖ୍ୟା ୧୭୦୬ ଥିବା ବେଳେ ୨୦୦୬ରେ ଏହି ସଂଖ୍ୟା ୧୪୧୧ ଥିଲା। ଅର୍ଥାତ ଦିନକୁ ଦିନ ବାଘଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଉଛି।

ଆଜି ଏହି ରିପୋର୍ଟର ଉନ୍ମୋଚନ କରି ମୋଦି କହିଛନ୍ତି, “୨୦୨୨ ସୁଦ୍ଧା ଦେଶରେ ଥିବା ବାଘଙ୍କ ସଂଖ୍ୟା ଦୁଇଗୁଣ କରାଯିବ ବୋଲି ସେଣ୍ଟ ପିଟରସବର୍ଗରେ ନିଷ୍ପତ୍ତି ହୋଇଥିଲା। ଏହି ଲକ୍ଷ୍ୟକୁ ଆମେ ୪ ବର୍ଷ ଆଗରୁ ହାସଲ କରିନେଇଛୁ। ବାଘଙ୍କ ସୁରକ୍ଷା ପାଇଁ ଆମ ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି।

ଗତ ୫ ବର୍ଷରେ ବାଘଙ୍କ ପାଇଁ ସୁରକ୍ଷିତ ଅଞ୍ଚଳ ସଂଖ୍ୟା ୬୯୨ରୁ ୮୬୦କୁ ବୃଦ୍ଧି ପାଇଛି। କମ୍ୟୁନିଟି ଅଞ୍ଚଳ ମଧ୍ୟ ୪୩ଟିରୁ ୧୦୦ରେ ପହଞ୍ଚିଛି। ଆମେ ଏବେ ଗର୍ବର ସହ କହିପାରିବା ଯେ ଆମ ଦେଶରେ ବାଘମାନେ ସୁରକ୍ଷିତ। ବିକାଶ ଓ ପରିବେଶ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଯୋଗୁ ଏହା ସମ୍ଭବ ହୋଇପାରିଛି।

ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଟାଇଗରରୁ ଆରମ୍ଭ ହୋଇ ଟାଇଗର ଜିନ୍ଦା ହୈ ପର୍ଯ୍ୟନ୍ତ ଚାଲିଛି। ଏହା ଏଠାରେ ଶେଷ ହେବା ଉଚିତ ନୁହେଁ। ଏହା ‘ବାଘୋ ମେ ବାହାର ହୈ’ ହେବା ଦରକାର।”

ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ଟି ବାଘ ରହିଥିବା ବେଳେ କର୍ଣ୍ଣାଟକାରେ ୫୨୪ଟି ଓ ଉତ୍ତରାଖଣ୍ଡରେ ୪୪୨ଟି ବାଘ ରହିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ ଓ ମିଜୋରାମରେ ବାଘଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ୨୮ରେ ସ୍ଥିର ରହିଛି।