ବାଘଙ୍କୁ ଅଶୁଭ ଚିଡ଼ିଆଖାନା: ଅଧା ବୟସରେ ଅକାଳ ମୃତ୍ୟୁ , ପ୍ରତି ବର୍ଷ କେତେ ଜୀବନ ଯାଉଛି , ପଢନ୍ତୁ ପୁରା ରିପୋର୍ଟ

ନୂଆଦିଲ୍ଲୀ: ପ୍ରତି ବର୍ଷ ଚିଡାଆଖାନାରେ(ଦେଶ ବ୍ୟାପୀ) ୨୦ରୁ ଊର୍ଦ୍ଧ୍ୱ ବାଘଙ୍କ ମୃତ୍ୟୁ ଘଟୁଛି। ଭାରତୀୟ ଚିଡିଆଖାନା ସଂଗଠନ ଏବଂ ବନ୍ୟଯନ୍ତୁ ଚିକିତ୍ସକ ଏହି ରିପୋର୍ଟ ଦେଇଛନ୍ତି। ଭାରତୀୟ ଚିଡିଆଖାନା ସଂଗଠନର ତଥ୍ୟ ଅନୁଯାୟୀ ୨୦୧୫-୧୬ରେ ଦେଶର ସମସ୍ତ ଚିଡ଼ିଆଖାନାରେ ୩୪୪ଟି ବାଘ ଥିଲେ। ସେଥିରୁ ୯୯ଟି ଧଳା ବାଘ ଥିଲେ।  ତନ୍ମଧ୍ୟରୁ ସେହି ବର୍ଷ ୧୬ଟି ଧଳା ବାଘ ଏବଂ ୨୮ଟି ବାଘଙ୍କର ଚିଡିଆଖାନାରେ ମୃତ୍ୟୁ ଘଟିଥିଲା। ଦେଶର ୬୦ଟି ଚିଡିଆଖାନାରେ ଛୋଟବଡ଼ ମିଶି ଅନେକ ବାଘ ଅଛନ୍ତି।  ତେବେ ୨୭ଟି ଚିଡିଆଖାନାରେ  ବେଙ୍ଗଲ ଟାଇଗର ଅଛନ୍ତି।  ତେବେ ଗତ ୪ ବର୍ଷରେ ଚିଡିଆଖାନାରେ ଅଧିକ ସାଧାରଣ (ଅଡ଼ିନାରୀ)ବାଘଙ୍କ ସଂଖ୍ୟା ହ୍ରାସ ପାଇଛି। ୧୧-୧୨ରେ  ଏହି ବାଘଙ୍କ ସଂଖ୍ୟା ୨୯୫ ଥିଲା ବେଳେ ୧୫-୧୬ରେ ତାହା ୨୪୫ କୁ ଖସିଯାଇଥିଲା। ଗତ ୧୬ ବର୍ଷ ମଧ୍ୟରେ ସର୍ବାଧିକ ୧୬ ଟି ବେଙ୍ଗଲ ଟାଇଗରଙ୍କ ମୃତ୍ୟୁ ଘଟିଥିବା ଉକ୍ତ ସଂଘ ପକ୍ଷରୁ କୁହାଯାଇଛି।

ତେବେ ବିଭିନ୍ନ ରୋଗ ଯୋଗୁଁ ଚିଡିଆଖାନାରେ ବାଘ ଗୁଡ଼ିକର ଜୀବନ ଯାଉଥିବା କୁହାଯାଇଛି। ସଂଘର ସଭାପତି  ବି ଏମ ଆରୋରା କହିଛନ୍ତି ଯେ, ଗୋଟିଏ ବାଘର ସର୍ବାଧିକ ଜୀବନକାଳ ହେଉଛି ୨୩ ବର୍ଷ। ପ୍ରାୟତଃ ଶୈଶବ ସମୟରେ ୪୫ ପ୍ରତିଶତ ବାଘ ଛୁଆଙ୍କ ମୃତ୍ୟୁ ହୋଇଥାଏ। ଯଦି  ଏହି ଶୈଶବ ସମୟକୁ ସେମାନେ ପାର ହୋଇ ଯାଆନ୍ତି  ତେବେ ବାଘ ହାରାହାରି ୧୯ ବର୍ଷ ଛୁଇଁ ଯାଆନ୍ତି। ତେବେ ବି.ଏମ ଆରୋରା ଦିଲ୍ଲୀର ଜାତୀୟ  ଜୋଲିଜିକାଲ ପାର୍କରେ ଥିବା ବାଘମାନଙ୍କୁ ନେଇ ଏକ ସର୍ଭେ କରିଥିଲେ। ତାଙ୍କ ରିପୋର୍ଟ ଅନୁଯାୟୀ ଏଠାରେ ସାଧାରଣ ବାଘ ଗୁଡ଼ିକ ୧୨.୪୬ ବର୍ଷ ବଞ୍ଚୁଥିବାବେଳେ ଓ ଧଳା ବାଘ ଗୁଡ଼ିକ ୧୨.୪୨ ବର୍ଷ  ବଞ୍ଚିଥାଆନ୍ତି ।

ସୌଜନ୍ୟ ଟାଇମ୍‌ସ ଅଫ ଇଣ୍ଡିଆ