ଜାତୀୟ ରାଜନୀତିରେ କେବେ ସରିବ ଅବୁଝା ଋତୁ?

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଏବେ ଚାଲିଛି ଅବୁଝା ଋତୁ। କିଛି ରାଜନେତାଙ୍କ ସ୍ଥିତି ଏମିତି ହେଇଛି ସତେ ଯେମିତି ତାଙ୍କର ପ୍ରିୟ ଖେଳନାଟି ଆଉ କିଏ ଛଡ଼ାଇ ନେଇଯାଇଛି। ସାଧାରଣ ନିର୍ବାଚନରେ ଯେଉଁମାନେ ପ୍ରଧାନମନ୍ତ୍ରୀ ହେବାକୁ ଗୋଡ଼ ଲମ୍ବାଇ ବସିଥିଲେ, ସେମାନେ ଏବେ ସ୍ୱାଭାବିକ ରାଜନୀତି ଛାଡ଼ି ଅବୁଝା ସ୍ଥିତିରେ ଅଛନ୍ତି। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଯିଏ ସାଧାରଣ ନିର୍ବାଚନରେ ଶାହ-ମୋଦିଙ୍କ ପଶ୍ଚିମବଙ୍ଗରେ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ନେଇ ଏବେ ବି ଅବୁଝା ସ୍ଥିତିରେ ଅଛନ୍ତି।

ଏପରିକି ମମତା ନୀତି ଆୟୋଗ ବୈଠକକୁ ନ ଆସିବା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି କୁହାଯାଉଛି। ଜୁନ୍‌ ୧୫ର ଏହି ବୈଠକକୁ ସେ ଯିବେନି କହି ସେଥିପାଇଁ ସେ ଯେତେ କାରଣ ଦର୍ଶାଇଲେ ମଧ୍ୟ ଏହା ଯେ ତାଙ୍କ ନିର୍ବାଚନ ଜନିତ କ୍ଷୟକ୍ଷତିକୁ ନେଇ କ୍ରୋଧର ପ୍ରତିଫଳନ, ତାହା ସମସ୍ତେ ସ୍ୱୀକାର କରିବେ।

ସେହିଭଳି ଜେଡିୟୁ ମୁଖ୍ୟ ନୀତୀଶ କୁମାର ମଧ୍ୟ ଆଉ ଜଣେ ଅବୁଝା ରାଜନେତା। ଜେଡିୟୁ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରଣାଳୟରେ ୩ ଜଣଙ୍କୁ ସ୍ଥାନ ଦେବାକୁ କୁହାଯାଇଥିଲା। ଏଥିରୁ ଗୋଟିଏ କ୍ୟାବିନେଟ୍‌ ପାହ୍ୟା, ଗୋଟିଏ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଏବଂ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବାର ଥିଲା। କିନ୍ତୁ ମୋଦି ଜେଡିୟୁକୁ ଗୋଟିଏ କ୍ୟାବିନେଟ ପଦର ଅଫର ଦେଲେ। ଏଥିରେ ବ୍ୟଥିତ ହୋଇ ନୀତୀଶ କହିଥିଲେ, ଯଦିଓ ଦଳ ଏନ୍‌ଡିଏରେ ରହିବ, ତାଙ୍କ ଦଳରୁ କେହି ମଧ୍ୟ ମନ୍ତ୍ରୀ ହେବେ ନାହିଁ।

ଏପରିକି ବିହାରରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସମୟରେ ନୀତୀଶ ବିଜେପିକୁ ମାତ୍ର ଗୋଟିଏ ମନ୍ତ୍ରୀ ପଦର ଅଫର ଦେଇ ପ୍ରତିଶୋଧ ନେଲେ। ବିଜେପି ମୋଟ ୩୦୩ ଆସନରେ ଜିତିଥିବାବେଳେ ବିହାରରେ ଲଢ଼ିଥିବା ସମସ୍ତ ୧୭ଟି ଆସନରେ ବିଜେପି ବିଜୟ ଲାଭ କରି ରାଜ୍ୟରେ ଜୋରଦାର ଉପସ୍ଥିତି ଜାହିର କରିସାରିଛି।

କିନ୍ତୁ ଅବୁଝାପଣ ଏକ ରାଜ୍ୟ ଭାବେ ଗ୍ରହଣ କରାଯାଏ, ଏହାର ରାଜା ନିଶ୍ଚୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେବେ। ଗତ ମେ’ ୨୫ରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଅଭିଯୋଗ ଆଣିଥିଲେ କୁଆଡ଼େ ଅନେକ ବରିଷ୍ଠ ନେତା ପୁତ୍ରମୋହରେ ଦଳର ସ୍ୱାର୍ଥ କଥା ଭୁଲିଯାଇଥିଲେ। ଇସ୍ତଫା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ୱାର୍କିଂ କମିଟି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ରାହୁଲ ତାଙ୍କ ଜିଦରେ ଅଟଳ ରହିଛନ୍ତି। ଏବେ ସେ ପ୍ରାୟ ନିଃସଙ୍ଗ ଜୀବନ ବିତାଉଥିବା ଚର୍ଚ୍ଚା ହେଉଛି। ସେ କେରଳ ଯାଇ ତାଙ୍କ ନୂଆ ସଂସଦୀୟ କ୍ଷେତ୍ର ୱାୟନାଡ଼ରେ ‘ଧନ୍ୟବାଦ’ ସଭା ସାରି ଦିଲ୍ଲୀ ଫେରି ଆସିଛନ୍ତି। ସେ ବର୍ତ୍ତମାନ ସଭାପତି ଭାବେ କାମରେ ଲାଗିଯିବା ଉଚିତ ବୋଲି ସମସ୍ତେ ପରାମର୍ଶ ଦେଉଥିଲେ ହେଁ ରାହୁଲ ଏହାକୁ ମାନିବାକୁ ରାଜି ନୁହନ୍ତି। କଂଗ୍ରେସରେ ଏଭଳି ଏକ ପ୍ରକାର ଅସ୍ଥିର ସ୍ଥିତି ରହିଛି। ଫଳରେ କିଛି ରାଜ୍ୟରେ ଆରମ୍ଭ ହୋଇଥିବା ଦଳୀୟ ଅସ୍ଥିରତା ସମଗ୍ର ଦେଶକୁ ଯେ ନ ବ୍ୟାପିବ ତାହା ମଧ୍ୟ କହିହେବନି।

ମହାରାଷ୍ଟ୍ରରେ ରାଧାକୃଷ୍ଣ ଭିଖେ ପାଟିଲ କଂଗ୍ରେସ ଛାଡ଼ି ବିଜେପି ଯିବାକୁ ସଜବାଜ ହେଲେଣି। ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବ ବୋଲି କୁହାଯାଉଛି। ଅନ୍ୟମାନଙ୍କ ମଧ୍ୟରେ କାଳିଦାସ କୋଲମ୍ବକର, ଦୀତେଶ ରାଣେ, ଅବଦୁଲ ସତ୍ତାର ଏବଂ ଜୟକୁମାର ଗୋରେ ମଧ୍ୟ ବିଜେପି ଯିବେ। ପୂର୍ବରୁ ତେଲେଙ୍ଗାନାରେ ୧୯ କଂଗ୍ରେସ ବିଧାୟକରୁ ୧୨ ଜଣ ବିଧାୟକ ଟିଆରଏସ୍‌ରେ ମିଶିବା ଘଟଣା ଦଳ ପାଇଁ ସତର୍କ ଘଣ୍ଟି ବଜାଇସାରିଛି।

ଓଡ଼ିଶା, ବିହାର, ହରିଆଣା, ଗୁଜରାଟ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ କଂଗ୍ରେସ ପ୍ରାୟ ପୋଛିହୋଇଯାଇଛି। ଏହାକୁ ଲକ୍ଷ୍ୟ କରି ରାହୁଲଙ୍କୁ ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧିଙ୍କୁ ଆଗକୁ ଆଣିବାକୁ ହେବ ଯେକି ଲୋକଙ୍କ ସହିତ ଅଧିକ ଜଡ଼ିତ। ରାହୁଲ ଇସ୍ତଫା ଦେବା ଯଦି ଚୂଡ଼ାନ୍ତ ନିଷ୍ପତ୍ତି ହୁଏ, ତେବେ ଜଣେ ବରିଷ୍ଠ ନେତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେବା ଏକ ବାଟ ହୋଇପାରେ। ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ମଧ୍ୟ ରହିଛି। ଏଥିପାଇଁ ଦେଶର ସର୍ବପୁରାତନ ଦଳ କୁହାଯାଉଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଅବୁଝା ସ୍ଥିତିରୁ ବାହାରି ଆସିବାକୁ ହେବ ବୋଲି ବହୁ ରାଜନୀତିକ ବିଶ୍ଳେଷକ ମତ ଦେଇଛନ୍ତି।