ସେନାର ତ୍ୟାଗ ଓ ବଳିଦାନ ଉପରେ ଆମେ ଗର୍ବ କରୁ: ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ୬୯ତମ ଭାରତୀୟ ସେନା ଦିବସ। ପ୍ରତିବର୍ଷ ଜାନୁଆରୀ ୧୫କୁ ଭାରତ ତାର ସେନା ଦିବସ ରୂପେ ପାଳନ କରେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେନାର ସାହାସକୁ ସଲାମ କରିବା ସହ ଯବାନ୍‌ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି।

ମୋଦି ଟ୍ୱିଟ୍‌ କରି କହିଛନ୍ତି, “ଭାରତୀୟ ସେନା ଦେଶର ସ୍ୱତନ୍ତ୍ରତା ଏବଂ ସାର୍ବଭୌମତ୍ୱର ସୁରକ୍ଷା ସହିତ ପ୍ରାକୃତିକ ବିପର୍ଯୟ ସମୟରେ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ସେନାର ତ୍ୟାଗ ଓ ବଳିଦାନ ଉପରେ ଆମେ ଗର୍ବ କରୁ। ୧୨୫କୋଟି ଲୋକମାନଙ୍କ ପାଇଁ ସେନା ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି”।

ଏହି ଅବସରରେ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅମର ଯବାନ ଜ୍ୟୋତିରେ ଶହିଦ୍‌ ଯବାନ୍‌ଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାୱତ୍‌। ସେ କହିଛନ୍ତି, “ପାକିସ୍ତାନକୁ କଡ଼ା ଚେତାବନୀ ଦିଆଯାଇଛି। ସୀମାରେ ଆମେ ଶାନ୍ତି ଚାହୁଁଛୁ। ତେବେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଲେ ଏହାର କଡ଼ା ଜବାବ ଦିଆଯିବ।