ଆଜି କାର୍ଗିଲ ବିଜୟ ଦିବସ

ନୂଆଦିଲ୍ଲୀ: ଆଜି ଜୁଲାଇ ୨୬ ତାରିଖ। ଆଜିର ଦିନକୁ ସାରା ଦେଶ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି। ୧୯୯୯ ପାକିସ୍ତାନ ବିରୋଧରେ ଭାରତର ଅପରେସନ ବିଜୟକୁ କାର୍ଗିଲ ବିଜୟ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ପ୍ରତିବର୍ଷ ଜମ୍ମୁ ଓ କାଶ୍ମୀରର କାର୍ଗିଲ ଓ ଦ୍ରାସ୍ ସେକ୍ଟରରେ ଉତ୍ସବ ପାଳନ କରାଯାଉଛି। କାର୍ଗିଲ ବିଜୟ ଦିବସକୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଳନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଥିବା ଅମର ଯବାନ ଜ୍ୟୋତିରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେହିଭଳି କାର୍ଗିଲ ଯୁଦ୍ଧରେ ସହିଦଙ୍କ ସ୍ମୃତିଚାରଣ ଲାଗି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ।

ଏହା ପୂର୍ବରୁ ଗତକାଲି ସେନା ପକ୍ଷରୁ ଦ୍ରାସ ସେକ୍ଟରରେ ଏକ ସ୍ୱତନ୍ତ୍ର ଉତ୍ସବର ‌ଆୟୋଜନ କରାଯାଇଥିଲା। କାର୍ଗିଲ ଯୁଦ୍ଧରେ ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରଙ୍ଗରଙ୍ଗ ଏବଂ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯେଉଁଥିରେ କଳାକାରମାନେ ଯୋଗଦେଇ ସଙ୍ଗୀତ ଏବଂ ବାଦ୍ୟଯନ୍ତ୍ର ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଗିଲ ଯୁଦ୍ଧର ସହିଦ ସୈନିକଙ୍କ ପରିବାର ଓ ସମ୍ପର୍କୀୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।