ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟ୍‌

ନୂଆଦିଲ୍ଲୀ: ଭାରତର ୧୫ତମ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍‌ ଗ୍ରହଣ ହେବ।  ଏଥିପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।  ମୋଦି ସରକାରରେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଭେଙ୍କେୟା ନାଇଡୁଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳ କୃଷ୍ଣ ଗାନ୍ଧି।  ହେଲେ ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁ ବିଜୟୀ ହେବା ଅଧିକ ସମ୍ଭାବନା ରହିଛି।

ରାଷ୍ଟ୍ରପତି  ନିର୍ବାଚନରେ ସାଂସଦଙ୍କ ସହ ବିଧାୟକମାନେ ଭୋଟ୍‌ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ମାନେ ହିଁ ଭୋଟ ଦେଇଥାନ୍ତି।  ଉପରାଷ୍ଟ୍ରପତି ନିର୍ବାଚନରେ ବାଲଟ୍‌ ପେପର ବ୍ୟବହାର ହୁଏ। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ନିଜନିଜ ମତ ସାବ୍ୟସ୍ତ କରିବେ।  ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବା ପାଇଁ ସଂସଦରେ ଏକ ସ୍ୱତନ୍ତ୍ର ପେନର ବ୍ୟବହାର କରାଯାଇଥାଏ।

ଯଦି କୌଣସି ମତଦାତା ଅଲଗା ପେନ ବ୍ୟବହାର କରନ୍ତି ତା ହେଲେ ସେହି ମତଦାତାଙ୍କ ଭୋଟ ଖାରଜ ହୋଇଯିବ।  ବାଲଟ ପେପରରେ କେବଳ ପ୍ରାର୍ଥୀଙ୍କ ନାଁ ରହିଥାଏ। କୌଣସି ଦଳୀୟ ଚିହ୍ନ ରହି ନ ଥାଏ।  ଆସନ୍ତା ଅଗଷ୍ଟ ୧୯ତାରିଖରେ ବର୍ତ୍ତମାନର ଉପ-ରାଷ୍ଟ୍ରପତି ହମିଦ ଅନସାରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି।