ବିଶ୍ୱ ହିନ୍ଦୁ ପରିଷଦ ଛାଡ଼ିଲେ ପ୍ରବୀଣ ତୋଗାଡ଼ିଆ, ଓଗାଳିଲେ ଏମିତି କଥା

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧକ୍ଷ ପ୍ରବୀଣ ତୋଗାଡ଼ିଆଙ୍କୁ ଲାଗିଛି ବଡ଼ ଝଟକା। ବିଶ୍ୱ ହିନ୍ଦୁ ପରିଷଦର ନୂଆ ଅଧ୍ୟକ୍ଷର ଘୋଷଣା ହୋଇସାରିଛି। ତୋଗାଡ଼ିଆଙ୍କର ଖାସ ଯୋଡ଼ି ରାଘବ ରେଡ୍ଡି ବିଶ୍ୱ ହିନ୍ଦୁ ପରିଷଦ(VHP)ର ଆନ୍ତର୍ଜାତିକ ଅଧ୍ୟକ୍ଷ ପଦ ନିର୍ବାଚନରେ ହାରିଯାଇଛନ୍ତି। ହିମାଚଳ ପ୍ରଦେଶର ପୂର୍ବ ଗଭର୍ନର ବିଷ୍ଣୁ ସଦାଶିବ କୋକଜେ ଏହି ନିର୍ବାଚନ ଜିତିଛନ୍ତି। ନିର୍ବାଚନରେ କୋକଜେଙ୍କୁ ୧୩୧ଟି ଭୋଟମିଳିଥିବାବେଳେ ରେଡ୍ଡିଙ୍କୁ ମାତ୍ର ୬୦ଟି ଭୋଟ ମିଳିଥିଲା। କୋକଜେ ମଧ୍ୟପ୍ରଦେଶ ହାଇକୋର୍ଟର ଜଜ୍‌ ମଧ୍ୟ ଥିଲେ। ସବୁଠାରୁ ବଡ଼ କଥା ହେଉଛି କୋକଜେଙ୍କର ନୂଆ ଟିମ୍‌ରେ ତୋଗାଡ଼ିଆ ଓ ରାଘବ ରେଡ୍ଡିଙ୍କୁ କୌଣସି ଦାୟିତ୍ୱ ମିଳିନାହିଁ। ସେପଟେ ତୋଗାଡ଼ିଆ ସଂଗଠନ ଛାଡ଼ିଥିବା  ଘୋଷଣା ମଧ୍ୟ କରିସାରିଛନ୍ତି।

ନିର୍ବାଚନ ହାରିବା ପରେ ଗତକାଲି ତୋଗାଡ଼ିଆ ଅଭିଯୋଗ କରିଛନ୍ତି ଯେ, କୋଟି କୋଟି ହିନ୍ଦୁମାନଙ୍କର କଣ୍ଠରୁଦ୍ଧ କରିବାକୁ ପ୍ରୟାସ କରାଯାଇଛି। ସେ କହିଛନ୍ତି, ‘ମୁଁ ବଡ଼ ଲଢ଼େଇ ଜିତିବା ପାଇଁ ଆଜି ଛୋଟ ଲଢ଼େଇ ହାରିଛି। ମୁଁ ଭିଏଚ୍‌ପିରେ ଆଜି ନୁହେଁ ୩୨ ବର୍ଷରୁ ଥିଲି। ମୁଁ ସବୁବେଳେ ହିନ୍ଦୁମାନଙ୍କ ସ୍ୱର ଉତ୍ତୋଳନ କରି ଆସିଛି। ଆଗକୁ ମଧ୍ୟ ମୁଁ କୋଟିଏ ହିନ୍ଦୁ, ଚାଷୀ, ଶ୍ରମିକ, ଓ ଯୁବପୀଢ଼ିଙ୍କର ସ୍ୱର ଉତ୍ତୋଳନ କରିବି।’

ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ ଆସନ୍ତା ଏପ୍ରିଲ ୧୭ ତାରିଖରୁ ଅହମ୍ମଦାବାଦଠାରେ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଉପବାସ ରହି ଅନଶନ କରିବେ। ସେ କହିଛନ୍ତି ଯେ ଏହି ଅନଶନ ଚାଷୀ, ମହିଳା ଶ୍ରମିକମାନଙ୍କର ଦାବି ଉଦ୍ଦେଶ୍ୟରେ ହେବ। ଏହା ବ୍ୟତୀତ ସେ ଗୋହତ୍ୟା, କମନ୍ ସିଭିଲ କୋଡ୍, କଶ୍ମୀରର ହିନ୍ଦୁମାନଙ୍କୁ ଭରତରେ ପୁଣିଥରେ ବସବାସ କରାଇବା କଥା କହିଛନ୍ତି। ତୋଗାଡ଼ିଆ କତହିଛନ୍ତି ଯେ, ସେ ଚାଷୀମାନଙ୍କୁ ଦୁଇଗୁଣ ମୂଲ୍ୟ ଦେବାକୁ ଦାବି କରିବେ।