ଜାଣିଛନ୍ତି ତ ? ଟୋଲ୍‌ଗେଟ୍‌ରେ ୩ ମିନିଟ୍‌ ଡିଟେନ୍‌ ହେଲେ ଲାଗିବା କଥା ନୁହେଁ ଟୋଲ୍‌ ଫି

ଲୁଧିଆନା: ରାସ୍ତାରେ ଯାଉଥିବା ବେଳେ ଅନେକ ସମୟରେ ଟୋଲ୍‌ଗେଟ୍‌ରେ ଟୋଲ ଫି ଦେବାକୁ ବହୁତ ସମୟ ଧରି ଅପେକ୍ଷା କରିବାକୁ ପଡିଥାଏ। ଯଦି ଟୋଲ ପ୍ଲାଜାରେ ଭିଡ ଥିବ ତ କଥା ସରିଲା। ଅନେକ ସମୟ ଅପେକ୍ଷା କରିବେ ତା’ପରେ ଟୋଲ୍‌ ଫି ଦେବା ପରେ ଆପଣଙ୍କ ଗାଡି ଆଗକୁ ଗଡିବ। ଏଥିପାଇଁ ବହୁତ ସମୟରେ ଝଗଡା ହୋଇଥିବାର ନଜିର ମଧ୍ୟ ରହିଛି। ତେବେ ଟୋଲ୍‌ ଫି ଦେବାକୁ ଟୋଲ ଗେଟରେ ଗୋଟିଏ ଗାଡି କେତେ ସମୟ ପାଇଁ ରହିବ ସେ ନେଇ ନିୟମ ମଧ୍ୟ ରହିଛି। କିନ୍ତୁ ଟୋଲ ଗେଟ୍‌ ପାଇଁ ଥିବା ଏହି ନିୟମ ବିଷୟରେ ଅନେକ ଲୋକ ଜାଣିନଥିବେ। ଯଦି ଟୋଲ୍‌ ପ୍ଲାଜାରେ ରସିଦ୍‌ କାଟିବାକୁ ୩ ମିନିଟରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡେ,ତେବେ ରସିଦ୍‌ ନ କାଟି ବିନ୍ଦାସ ଆପଣ ଆସିପାରିବେ। ଏହା ଆମେ ମନକୁ ମନ କହୁନାହୁଁ। ଆରଟିଆଇରେ ଟୋଲପ୍ଲାଜା ଉପରେ ମଗାଯାଇଥିବା ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଲୁଧିଆନାର ଓକିଲ ହରିଓମ୍‌ ଜିନ୍ଦଲ କିଛିଦିନ ପୂର୍ବେ ଆରଟିଆଇରେ ଟୋଲ୍ ପ୍ଲାଜା ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରିଥିଲେ। ରସିଦ୍‌ କାଟିବାକୁ ଗୋଟିଏ ଗାଡି ଟୋଲ୍‌ ପ୍ଲାଜାରେ କେତେ ସମୟ ରହିପାରିବ ତାକୁ ନେଇ ପ୍ରଶ୍ନ କରିଥିଲେ। ତେବେ ଆରଟିଆଇର ଉତ୍ତରରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ହରିଓମ। ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟ ଅନୁଯାୟୀ, ଟୋଲ୍‌ ଫି ଆଦାୟ କରିବାକୁ ଟୋଲ ପ୍ଲାଜାରେ ଗୋଟିଏ ଗାଡିକୁ ଅତିବେଶିରେ ୩ ମିନିଟ୍‌ ଅଧିକ ସମୟ ଅଟକାଇ ରଖାଯାଇ ପାରିବ ନାହିଁ। ଅର୍ଥାତ ଯଦି ଟୋଲ୍ ଫିର ରସିଦ୍ କାଟିବାକୁ ୩ ମିନିଟ୍‌ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡେ, ତେବେ ଟୋଲ୍‌ ଫି ନ ଦେଇ ଆପଣ ଆସିପାରିବେ।

ହରିଓମ୍‌ ମଧ୍ୟ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଫି ଦେବାକୁ ଅନେକ ସମୟ ଅପେକ୍ଷା କରିଛନ୍ତି। ତେବେ ଏ ବାବଦରେ କେବେ କେହି ଅଭିଯୋଗ କରିନାହାନ୍ତି। କାରଣ କିଛି ଟଙ୍କା ପାଇଁ କୋର୍ଟକୁ ଯିବାକୁ ଉଚିତ ମନେ କରନନ୍ତି ଅନେକ ଲୋକ। କିନ୍ତୁ ହରିଓମ୍‌ ଥିଲେ ବ୍ୟତିକ୍ରମ। ଏହା ବିରୋଧରେ ସେ କୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ତାଙ୍କ ଯୁକ୍ତି ଥିଲା କୋର୍ଟକୁ ଆସୁଥିବା ଏଭଳି ମାମଲା ଖାଉଟି ଅଦାଳତରେ ବିଚାର କରାଯାଉ। ଯାହାଫଳରେ କମ ସମୟ ଓ କମ ଖର୍ଚ୍ଚରେ ଅଭିଯୋଗକାରୀ ନ୍ୟାୟ ପାଇପାରିବେ। ଅନେକ ଦିନର ଆଇନଗତ ଲଢେଇ ପରେ ନିଜ ଲକ୍ଷ୍ୟରେ ସଫଳ ହୋଇଛନ୍ତି ହରିଓମ। ଏବେ ଖାଉଟି ଅଦାଲତରେ ଏପରି ମାମଲାର ଶୁଣାଣି ହୋଇପାରିବ।