କାଲି ବଜେଟ: ଯାତ୍ରୀ ଓ ମାଲ ଭଡ଼ା ଅପରିବର୍ତ୍ତିତ ରହିବା ଆଶା

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସାଧାରଣ ବଜେଟ।  ବଜେଟରେ ରେଳବାଇ କ୍ଷେତ୍ର ପାଇଁ ବି ବ୍ୟୟବରାଦ ଘୋଷଣା କରାଯିବ।  ବଜେଟରେ ଯାତ୍ରୀ ଓ ମାଲ ଭଡ଼ା ଅପରିବର୍ତ୍ତିତ ରହିବା ଆଶା କରାଯାଉଛି।  ତେବେ ରେଳ ସେବା ସଂପ୍ରସାରଣ ଓ ଭିତ୍ତିଭୂମି ନିର୍ମାଣ ଲାଗି ବ୍ୟୟବରାଦ ରାଶି ଆଖିଦୃଶିଆ ଭାବେ ବଢାଇପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଯାତ୍ରୀ ସୁରକ୍ଷା, ରେଳଯାତ୍ରୀଙ୍କୁ ଅଧିକ ସୁବିଧା ଉପଲବ୍ଧ କରାଇବା ଉପରେ ବି ଫୋକସ ରହିବ।  ଏପଟେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କେତେ ମିଳୁଛି ତା’ ଉପରେ ନଜର ରହିଛି।  ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରେଳବାଇ ବ୍ୟୟବରାଦ ବୃଦ୍ଧି ଲାଗି ଦାବି ରଖିଛି ଓଡ଼ିଶା।  ଏଥର ଓଡ଼ିଶାରେ ରେଳର ବିକାଶ ଲାଗି  ୬ ହଜାର ୫ଶହ କୋଟି ମାଗିଛନ୍ତି ରାଜ୍ୟ ସରକାର।  ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଥିଲେ।  ଗତବର୍ଷ ଓଡ଼ିଶା ସରକାର ୫,୮୭୦ କୋଟି ଦାବି ରଖିଥିବା ବେଳେ ବଜେଟରେ ୫ ହଜାର ୧୦୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।  ତେବେ ଏହି ବ୍ୟୟବରାଦ ସତ୍ତ୍ୱେ ଜମି ଅଧିଗ୍ରହଣ ସମେତ ଅନ୍ୟାନ୍ୟ ବାଧାକୁ ନେଇ ରାଜ୍ୟରେ ରେଳ ପ୍ରକଳ୍ପ କାମ ସେତେଟା ଆଗେଇପାରି ନ ଥିଲା।