କାଲି ସଂସଦର ବଜେଟ୍ ଅଧିବେଶନ, କ’ଣ ସବୁ ମିଳିପାରେ ଫାଇଦା ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା କାଲିଠୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ ।  ତା’ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର।   ଏଥିରେ ପ୍ରାୟ ସବୁ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଛନ୍ତି ।  ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ବୈଠକରେ ଆଲୋଚନା ହୋଇଛି ।  ଏଥର କେନ୍ଦ୍ର ସରକାରଙ୍କ ଏଜେଣ୍ଡାରେ ଅଛି ଟ୍ରିପଲ ତଲାକ ବିଲ୍ । ବିଲ୍‌କୁ ପାସ୍ କରାଇବା ଲାଗି ଜୋର୍ ଦେବେ ସରକାର।   ସେହିପରି ଓବିସି କମିଶନ ବିଲ୍ ମଧ୍ୟ ଆସିପାରେ ।  ସେପଟେ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟ ଆଉ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।   ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।   ପ୍ରଥମ ଥର ପାଇଁ ସେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ।   ଫେବ୍ରୁଆରି ୧ ତାରିଖରେ ବଜେଟ ଆସିବ।   ତା’ ପୂର୍ବରୁ ଆସନ୍ତାକାଲି ସଂସଦରେ ଇକୋନୋମିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବାର ଅଛି ।

ଏଥର ବଜେଟ୍‌ରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ।  ଆୟକର ସୀମାରେ କିଛିଟା ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି ।  ମୁଖତଃ ଟ୍ୟାକ୍ସ ସ୍ଲାବ୍‌ରେ ପରିବର୍ତ୍ତନ ଆସିପାରେ । ନୋଟ୍‌ବନ୍ଦୀ ଓ ଜିଏସ୍‌ଟି ଲାଗୁ ପରେ ଧିମେଇ ଯାଇଥିବା ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲାଗି ଏଥର ବଜେଟ୍‌ରେ ଅର୍ଥମନ୍ତ୍ରୀ ବିଶେଷ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି।  ଗୃହଋଣ ସୁଧହାରକୁ ହ୍ରାସ କରିବା, ଟ୍ୟାକ୍ସ ଇନ୍ସେନଟିଭ୍ ବୃଦ୍ଧି ଏବଂ ଆୟକର ଛାଡ଼ ସୀମା ଅଢେଇ ଲକ୍ଷରୁ ତିନି ଲକ୍ଷକୁ ବୃଦ୍ଧି କରାଯିବା ଆଶାରେ ଅଛନ୍ତି ଲୋକେ। ଅନ୍ୟପକ୍ଷରେ ରିୟଲ ଇଷ୍ଟେଟ୍‌ ଶିଳ୍ପ ଓ ଗୃହ ନିର୍ମାଣ କ୍ଷେତ୍ରକୁ ଭିତ୍ତିଭୂମିର ମାନ୍ୟତା ଦିଆଯିବା ସପକ୍ଷରେ ଅଛନ୍ତି ରିୟଲ ଇଷ୍ଟେଟ୍ ବ୍ୟବସାୟୀ।

ନୂଆ ଘର କିଣିବାକୁ ଆଶା ରଖିଥିବା ଲୋକେ କ’ଣ ଚାହୁଛନ୍ତି

୧. ବ୍ୟାଙ୍କଗୁଡିକ ଗୃହଋଣ ସୁଧହାରକୁ କମାଇ ଦେଇଥିଲେ ମଧ୍ୟ ଏହାକୁ ଅଧିକ ହ୍ରାସ କରାଯିବା ‌ଆଶାରେ ଅଛନ୍ତି ଘର କିଣିବାକୁ ଥିବା ଆଶାୟୀ।  ସେହିପରି ଗୃହଋଣ ନେଇଥିବା ଲୋକଙ୍କ ବାର୍ଷିକଟିକସ ଛାଡ଼ ସୀମା ଦେଢ଼ଲକ୍ଷରୁ ୫ ଲକ୍ଷ କରାଯିବା ସପକ୍ଷରେ ମତ ପ୍ରକାଶ ପାଉଛି ।

୨. ପ୍ରଥମ ଥର ଘର କିଣୁଥିବା ଲୋକଙ୍କ ପାଇଁ ଗୃହଋଣ ସୁଧ ଉପରେ ଟିକସ ଛାଡ଼ ଲାଗି ୫୦ହଜାରରୁ ୨ ଲକ୍ଷ ଟଙ୍କା କରିବାକୁ ଯୁକ୍ତି ହେଉଛି।

୩. ମଧ୍ୟବିତ୍ତ ପରିବାର ଉପରେ ବୋଝ ହ୍ରାସ ଲାଗି ଜେଟଲୀ ଆୟକର ଛାଡ଼ସୀମାକୁ ଅଢେଇ ଲକ୍ଷରୁ ତିନି ଲକ୍ଷ କରିବେ ବୋଲି ଆଶା ରହିଛି।…

ରିୟଲ ଇଷ୍ଟେଟ୍ ବ୍ୟବସାୟୀ

୧. ରିୟଲ ଇଷ୍ଟେଟ୍ କ୍ଷେତ୍ରର ବିକାଶ ଲାଗି ଏହାକୁ ଶିଳ୍ପର ମାନ୍ୟତା ଦିଆଯିବା ଲାଗି ଦାବି ଉଠୁଛି।  ଏହାଦ୍ୱାରା କମ୍ ସୁଧରେ ପର୍ଯ୍ୟାପ୍ତ ପରିମାଣର ଧନ ଉପଲବ୍ଧ ହୋଇପାରିବ।  ଫଳରେ ନିର୍ମାଣ ଖର୍ଚ୍ଚ କମିବା ଦ୍ୱାରା ଉପଭୋକ୍ତା ସିଧାସଳଖ ତାର ଲାଭ ପାଇବେ ବୋଲି କୁହାଯାଉଛି।

୨. ଏପଟେ ଅର୍ଥମନ୍ତ୍ରୀ ଗୃହ ନିର୍ମାଣ କ୍ଷେତ୍ରକୁ ଭିତ୍ତିଭୂମି କ୍ଷେତ୍ରର ମାନ୍ୟତା ଦେବେ ବୋଲି ଆଶା କରାଯାଉଛି।  ଏହାଦ୍ୱାରା ଅନୁମତି ମିଳିବା ପ୍ରକ୍ରିୟା ସରଳ ହେବ ଫଳରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ବଢିବ ବୋଲି ମତ ପ୍ରକାଶ ପାଉଛି।

୩. ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ୧୨ ପ୍ରତିଶତ ଜିଏସଟି ଥିବା ବେଳେ ରେଜିଷ୍ଟ୍ରେସନ ବାବଦକୁ ୭ ପ୍ରତିଶତ ଫି ଲାଗୁଛି।  ତେଣୁ ଜିଏସଟିକୁ ୫ରୁ ୬ ପ୍ରତିଶତ ହ୍ରାସ କରିବା ଲାଗି ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ଦାବି କରିଛନ୍ତି।