ଆପ୍‌କୁ ବାଏବାଏ କହିଲେ ବରିଷ୍ଠ ଆଇନ୍‌ଜୀବୀ ଏଚ୍‌ସି ଫୁଲକା

ନୂଆଦିଲ୍ଲୀ: ଦେଶର ବରିଷ୍ଠ ଆଇନ୍‌ଜୀବୀ ତଥା ଦିଲ୍ଲୀର କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତା ଏଚ୍‌ସି ଫୁଲକା ଆଜି ଦଳ ଛାଡ଼ିଛନ୍ତି। ସେ ଦୀର୍ଘ ୩ ଦଶନ୍ଧି ହେଲା ଶିଖ୍‌ ବିରୋଧୀ ଦଙ୍ଗାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମାମଲା ଲଢ଼ୁଥିଲେ। ଏହି ମାମଲରେ ଅନେକ କଂଗ୍ରେସ ନେତା ସାମିଲ ଥିବା ସେ ବାରମ୍ବାର କୋର୍ଟରେ ଯୁକ୍ତି ଉପସ୍ଥାପନ କରିଚାଲିଛନ୍ତି। ତାଙ୍କ ଉଦ୍ୟମ ଯୋଗୁ ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ଆଜି ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି।

ଶ୍ରୀ ଫୋଲକ ଆଜି ଟ୍ୱିଟ୍‌ ଜରିଆରେ ସେ ଆପ୍‌ ଛାଡ଼ିଥିବା କଥା କହିଛନ୍ତି। ସେ କହିଛନ୍ତି, “ ମୁଁ ମୋର ଇସ୍ତଫା ପତ୍ରକୁ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇ ଦେଇଛି। ସେ ମୋତେ ଇସ୍ତଫା ନ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ମୁଁ ଇସ୍ତଫା ଦେବା ଠିକ୍‌ ବୋଲି ଭାବି ଏଭଳି ନିଷ୍ପତ୍ତି ନେଇଛି।” ତେବେ ସେ ଆସନ୍ତାକାଲି ଗଣମାଧ୍ୟମ ସମ୍ମୁଖରେ ଆପ୍‌ ଛାଡ଼ିବା ସମ୍ପର୍କରେ ସୂଚନା ଦେବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଆପ୍‌ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଦିଆଯାଇଥିବା ଭାରତ ରତ୍ନ ଫେରାଇ ନେବାକୁ ଏକ ସଂକଳ୍ପ ପାରିତ କରିବାକୁ ଚାହିଁଥିଲେ। ଏଥିଯୋଗୁ ଶ୍ର ଫୁଲକା ଦଳ ଉପରେ କ୍ଷୁବ୍ଧ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଏହି କାରଣ ପାଇଁ ଆପ୍‌ ବିଧାୟକ ଅଲକା ଲାମ୍ବାଙ୍କୁ ମଧ୍ୟ ଦଳ ପକ୍ଷରୁ ଇସ୍ତଫା ଦେବାକୁ କୁହାଯାଇଥିଲା।

ଆପ୍‌ ଟିକେଟ୍‌ରେ ବିଧାୟକ ହୋଇଥିବା ଫୁଲକା ଗତବର୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ବିଧାୟକ ଥିବାରୁ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା ଲଢ଼ି ପାରିବେ ନାହିଁ ବୋଲି ଦିଲ୍ଲୀ ବାର କାଉନସିଲ କହିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ଏହି ସମୟରେ ସେ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ପଦରେ ରହିଥିଲେ। ହେଲେ ୧୯୮୪ ଦଙ୍ଗା ପୀଡ଼ିତଙ୍କୁ ନ୍ୟାୟ ଦେବାକୁ ସେ ପଦ ଛାଡ଼ି ମାମଲା ଲଢ଼ିବାକୁ ଆଗେଇ ଆସିଥିଲେ।