ସାବାସ୍‌ ଟ୍ରାଫିକ୍‌ ପୋଲିସ: ଆମ୍ବୁଲାନ୍ସ ପାଇଁ ଅଟକାଇଲେ ରାଷ୍ଟ୍ରପତିଙ୍କ କାରକେଡ଼

ବାଙ୍ଗାଲୋର: ବଦଳୁଛି ଭାରତ ବଦୁଳିଛି ଭାରତୀୟ ମଣିଷର ଚିନ୍ତାଧାରା। ଦେଶରୁ ଭିଆଇପି ସଂସ୍କୃତି ଲୋପ କରିବା ପାଇଁ କିଛିଦିନ ପୂର୍ବେ ନାଲିବତୀ ସଂସ୍କୃତିକୁ ବନ୍ଦ କରିଥଇଲେ ନରେନ୍ଦ୍ର ମୋଦି। ଦେଶର ସମସ୍ତ ବ୍ୟକ୍ତି ସମାନ ଏହା ଥିଲା ଭିଆଇପି ସଂସ୍କୃତିକୁ ଲୋପ କରିବାର ମୂଳ ଉଦ୍ଦେଶ୍ୟ। ସେତେବେଳେ ମୋଦିଙ୍କ ଏହି ପଦକ୍ଷେପ ଅନେକ ପ୍ରଶଂସା କରିଥିଲେ। କିନ୍ତୁ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ସତରେ କଣ ଏହା ସମ୍ଭବ। କିଛିଦିନ ପୂର୍ବେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିଜ କାରକେଡକୁ ରାସ୍ତାର ସାଇଟ୍‌କୁ ନେବାକୁ ନିଦ୍ଦେର୍ଶ ଦେଇଥିଲେ। ତେବେ ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ଏଥର କିନ୍ତୁ ରାଷ୍ଟ୍ରପତିଙ୍କ ଗାଡି ଅଟକି ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍ଗାଲୋରରେ ଟ୍ରିନିଟି ଅଞ୍ଚଳରେ।

ଗତ ଶନିବାର ଦିନ ରାଷ୍ଟ୍ରପତି ବାଙ୍ଗାଲୋରରେ ଗ୍ରୀନ୍‌ ମେଟ୍ରୋ ଲାଇନ୍‌ର ଉଦ୍‌ଘାଟନ୍‌ ସାରି ରାଜଭବନକୁ ଫେରୁଥିଲେ। ରାଷ୍ଟ୍ରପତି ଆସିବା ପୂର୍ବରୁ ସମସ୍ତ ରାସ୍ତାକୁ ବନ୍ଦ କରି ଦିଆ ଯାଇଥିଲା। ଟ୍ରିନିଟି ଅଞ୍ଚଳରେ ରାଷ୍ଟ୍ରପତିଙ୍କ କାରକେଡ଼୍‌ ପହଞ୍ଚିବା ପରେ ହଠାତ୍‌ ଟ୍ରାଫିକ ପୋଲିସ କର୍ମଚାରୀ ନିଜାଲିଙ୍ଗପା ହାତ ହଲାଇ ଅଟକାଇ ଦେଇଥିଲେ ରାଷ୍ଟ୍ରପତିଙ୍କ କାରକେଡ଼କୁ। କାରଣ ସେହି ସମୟରେ ଏକ  ଆମ୍ବୁଲାନ୍ସ ରୋଗୀକୁ ନେଇ ନିକଟସ୍ଥ ହସ୍ପିଟାଲ ଅଭିମୁଖେ ଆସୁଥିଲା। ଆମ୍ବୁଲାନ୍ସର ସାଇରନ୍‌ କାନରେ ବାଜିବା ପରେ ସଙ୍ଗେସଙ୍ଗେ ରାଷ୍ଟ୍ରପତିଙ୍କ କାରକେଡକୁ ଅଟକାଇ ଦେଇଥିଲେ ନିଜାଲିଙ୍ଗପା। ପ୍ରଥମେ ଆମ୍ବୁଲାନ୍ସକୁ ବାଟ ଛାଡ଼ି ଥିଲେ ସେ। ପରେ ପରେ ରାଷ୍ଟ୍ରପତିଙ୍କ ଗାଡ଼ି ଆଗକୁ ଗଡିଥିଲା।

ନିଜାଲିଙ୍ଗପାଙ୍କ ଏଭଳି ପଦକ୍ଷେପ ତାଙ୍କୁ ରାତାରାତି ହିରୋ କରି ଦେଇଛି। ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡ଼ିଆରେ ନିଜାଲିଙ୍ଗପାକୁ ନେଇ ଚର୍ଚ୍ଚା। କାରଣ ତାଙ୍କ ଉପସ୍ଥିତି ବୁଦ୍ଧି ପାଇଁ ବଞ୍ଚିଯାଇଛି ଏକ ମୂଲ୍ୟବାନ ଜୀବନ। ଏଥିପାଇଁ ବାଙ୍ଗାଲୋର ପୋଲିସ ବିଭାଗ ତରଫରୁ ତାଙ୍କୁ ସମ୍ମାନିତ କରାଯିବା ନେଇ ଘୋଷଣା ହୋଇଛି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।